ମହାମେଣ୍ଟକୁ ମାୟାବତୀଙ୍କ ଝଟ୍‌କା

ଛତିଶଗଡ଼ରେ ଯୋଗୀଙ୍କ ସହ ହାତ ମିଳାଇଲେ, ଏମ୍‌ପି, ରାଜସ୍ଥାନରେ ଏକାକୀ ଲଢ଼ିବେ

ରାୟପୁର: ୨୦୧୯ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରୁଥିବା କଂଗ୍ରେସକୁ ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଗୁରୁବାର ଏକ ବଡ଼ ଝଟ୍‌କା ଦେଇଛନ୍ତି। ଫଳରେ ସମ୍ଭାବ୍ୟ ମହାମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ଦେଖିଦେଇଛି। ଛତିଶଗଡ଼ ନିର୍ବାଚନ ପାଇଁ ବିଏସ୍‌ପି ଅଜିତ୍‌ ଯୋଗୀଙ୍କ ଦଳ ଛତିଶଗଡ଼ ଜନତା କଂଗ୍ରେସ ସହିତ ମେଣ୍ଟ ଘୋଷଣା କରିଛି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଦଳ କାହା ସହିତ ହାତ ନମିଳାଇ ଏକାକୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ବୋଲି ମାୟାବତୀ କହିଛନ୍ତି। ଛତିଶଗଡ଼ରେ ବିଏସ୍‌୍‌ପି-ଜନତା କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ବିଧାନସଭାର ୯୦ ଆସନରୁ ୩୫ ଆସନରେ ବିଏସ୍‌୍‌ପି ଏବଂ ୫୫ଟି ଆସନରେ ଜନତା କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଆଜି ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରାଯାଇଛି । ମାୟାବତୀ କହିଛନ୍ତି ଯେ ଆମେ ନିର୍ବାଚନ ଜିଣିଲେ ଅଜିତ ଯୋଗୀ ମୁଖ୍ୟମନ୍ତ୍ରୀ ହେବେ। ସେହିଭଳି ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଏସ୍‌ପି ସମସ୍ତ ଆସନରେ ଏକାକୀ ଲଢ଼ିବ ବୋଲି ମାୟାବତୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସରୁ ବହିଷ୍କାର ହେବାପରେ ଅଜିତ ଯୋଗୀ ଛତିଶଗଡ଼ ଜନତା କଂଗ୍ରେସ ପାର୍ଟି ଗଠନ କରିଥିଲେ। ରାଜ୍ୟରେ ବିଜେପି ବିରୋଧରେ ଏକାକୀ ଲଢ଼ିବା କଂଗ୍ରେସ ପାଇଁ ଏବେ ବଡ଼ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି। ଅଜିତ୍‌ ଯୋଗୀ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି, ଦଳ ୧୫ ବର୍ଷ ହେଲା ରାଜ୍ୟରେ ଶାସନ କରିଆସୁଛି। ବର୍ତ୍ତମାନ ଏହା ନିଜ ପ୍ରଶାସନିକ କ୍ଷମତାକୁ ବ୍ୟବହାର କରି ପରବର୍ତ୍ତୀ ନିର୍ବାଚନ ଜିତିବା ପାଇଁ ମଧ୍ୟ ଉଦ୍ୟମ କରୁଛି। କିନ୍ତୁ ଏବେ ଏହା ସମ୍ଭବ ହେବନାହିଁ। ଆମେ ବିଏସ୍‌ପି ସହିତ ମେଣ୍ଟ କରିଛୁ ଏବଂ ଆଶା କରୁଛୁ ଆମର ଏହି ମେଣ୍ଟ ବିଜେପିକୁ ରୋକିବ ବୋଲି ଯୋଗୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ-ବିଏସ୍‌୍‌ପି ମେଣ୍ଟ ସମ୍ଭାବନା ଧୂଳିସାତ୍‌ ହୋଇଯାଇଛି। ଆଜି ବିଏସ୍‌ପି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ମାୟାବତୀଙ୍କ ଅଚାନକ ଏକପାଖିଆ ପଦକ୍ଷେପ କଂଗ୍ରେସକୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର