ବିଜେପି ସ୍ତବ୍ଧ, ରଣନୀତି ବଦଳିବ

ମାୟାବତୀଙ୍କ ମାଷ୍ଟର ଷ୍ଟ୍ରୋକ୍‌

ଲକ୍ଷ୍ନୌ: ଗୋରଖପୁର ଓ ଫୁଲପୁର ଉପ ନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ ହୋଇଥିବା ବେଳେ ରାଜ୍ୟରେ ବଢି ଚାଲିଥିବା ବିଜେପି ପତିଆରାରେ ଏକ ପ୍ରକାର ଲଗାମ୍‌ ଲାଗିଯାଇଛି। ତେବେ ଏହି ଲଗାମ୍‌ ହେଉଛି ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀଙ୍କ ମାଷ୍ଟର ଷ୍ଟ୍ରୋକ୍‌ର ପରିଣାମ। ୨୦୧୪ରେ ଗୋଟିଏ ବି ଲୋକସଭା ଆସନ ଜିତିପାରିନଥିବା ବହୁଜନ ସମାଜାବାଦୀ ପାର୍ଟି ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ମାତ୍ର ୧୯ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ଏହାପରେ ଅନେକ ରାଜନୈତିକ ସମୀକ୍ଷକ ୟୁପି ରାଜନୀତିରେ ବହୁଜନ ସମାଜବାଦୀ ପାର୍ଟିର ପତନ ଭବିଷ୍ୟବାଣୀ କରିଥିଲେ। ମାତ୍ର ରାଜନୀତିକୁ ଭଲଭାବରେ ଚିହ୍ନିଥିବା ମାୟାବତୀ ବିଜେପିକୁ ଶିକ୍ଷା ଦେବାକୁ କେବଳ ଉଚିତ୍‌ ସମୟକୁ ଅପେକ୍ଷା କରିଥିଲେ। ଏହି ଉପ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ ନେଇ ପ୍ରସ୍ତାବ ଆସିବା ପରେ ତାଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଯାଇଥିଲା। ପୂର୍ବରୁ ଅନ୍ୟଦଳଙ୍କ ଭଳି ବୃଥା ବୟାନବାଜି ନକରି ଚୁପ୍‌ ରହିଥିବାରୁ ବିଜେପି ମଧ୍ୟ ଭାବି ନେଇଥିଲା ଯେ, ମାୟାବତୀ ଶୋଇ ରହିଛନ୍ତି। ଫଳରେ ବିଜେପି ସମାଜବାଦୀ ପାର୍ଟି ଓ କଂଗ୍ରେସ ପାଇଁ କେବଳ ରଣନୀତି ପ୍ରସ୍ତୁତ କରିଥିଲା। ମାତ୍ର ଠିକଣା ସମୟରେ ମାୟାବତୀ ମଇଦାନକୁ ଓହ୍ଲାଇ ବିଜେପିର ଅକଲ ଗୁଡୁମ୍‌ କରିଦେଇଥିଲେ। ୨୫ ବର୍ଷପରେ ପ୍ରଥମ ଥର ପାଇଁ ବହୁଜନ ସମାଜବାଦୀ ପାର୍ଟି କର୍ମୀ ସମାଜବାଦୀ ପାର୍ଟିର ପତାକା ଧରି ପ୍ରଚାର କରିଥିଲେ। ବିଜେପି ଭଳି କୌଣସି ହାଇଭୋଲଟେଜ ପ୍ରଚାର ନଥିବା ସତ୍ତ୍ୱେ ବିରୋଧୀ ଦଳଙ୍କ ମେଣ୍ଟର ବିଜୟ ୨୦୧୯ରେ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟଙ୍କ କ୍ଷମତା ଦଖଲ ନେଇ ପୂର୍ବାଭାଷ ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି। ତେବେ ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଘାଇଲା ହୋଇଥିବା ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ୨୦୧୯ରେ ରାଜ୍ୟରେ ସମାଜବାଦୀ ପାର୍ଟି,ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢିବାକୁ ଉଦ୍ୟତ ହେଉଥିବାରୁ ବିଜେପି ମଧ୍ୟ ପାଣିପାଗ ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦଳର ରଣନୀତି ବଦଳିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ମହାମେଣ୍ଟର ମୁକାବିଲା କରିବା ପାଇଁ ବିଜେପିକୁ ଯେଭଳି ଜନସମର୍ଥନ ଆବଶ୍ୟକ ତାହା ନିକଟ ଭବିଷ୍ୟତରେ ମିଳିବା ମୁସ୍କିଲ୍‌ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର