ଭୋପାଳ: ମଧ୍ୟପ୍ରଦେଶରେ ଜଣେ ବସପା ପ୍ରାର୍ଥୀ ଗତକାଲି କଂଗ୍ରେସରେ ଯୋଗଦେବାପରେ ଆଜି ବସପା ସୁପ୍ରିମୋ ମାୟାବତୀ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକସଭା ନିର୍ବାଚନ ମଇଦାନରେ ଥିବା ବସପା ପ୍ରାର୍ଥୀ କଂଗ୍ରେସରେ ଯୋଗ ଦେବା ବିଷୟକୁ ମାୟାବତୀ ଆଦୌ ସହଜରେ ଗ୍ରହଣ କରିନାହାନ୍ତି। ମଧ୍ୟପ୍ରଦେଶ କଂଗ୍ରେସକୁ କଡ଼ା ଚେତାବନୀ ଦେଇ ମାୟାବତୀ ଆଜି କହିଛନ୍ତି ଯେ ସେ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ସେ ଚିନ୍ତା କରୁଛନ୍ତି। ଯଦି ମାୟାବତୀ କଂଗ୍ରେସରୁ ସମର୍ଥନ ପ୍ରତ୍ୟାହାର କରି ଆଣନ୍ତି ତେବେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ଆଶଙ୍କା କରାଯାଉଛି।
ମଧ୍ୟପ୍ରଦେଶର ଗୁନା ଆସନରେ ସପା-ବସପା ମେଣ୍ଟ ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂହ ରାଜପୁତ ଗତକାଲି ବସପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଏବେ ସେ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ତେବେ ମାୟାବତୀ ଆଜି ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏକ ଟ୍ବିଟ୍ ମାଧ୍ୟମରେ ମାୟାବତୀ କହିଛନ୍ତି ଯେ ବିଜେପି ପରି କଂଗ୍ରେସ ମଧ୍ୟ ସରକାରୀ କ୍ଷମତାର ଅବ୍ୟବହାର କରୁଛି ଏବଂ ବସପା ପ୍ରାର୍ଥୀଙ୍କୁ କଂଗ୍ରେସରେ ଯୋଗ ଦେବାପାଇଁ ବାଧ୍ୟ କରିଛି। କିନ୍ତୁ ଏହି ଆସନରେ ବସପା ପକ୍ଷରୁ ପୁଣିଥରେ ପ୍ରାର୍ଥୀ ଦିଆଯିବ ବୋଲି ମାୟାବତୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୧୪ ଆସନରେ ନିର୍ବାଚନ ଜିତିଥିଲା, ବିଜେପି ୧୦୯ ଆସନରେ ଜିତିଥିଲା, ବସପା ୨, ସପା ୧ ଏବଂ ୪ଟି ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା। ତେବେ କଂଗ୍ରେସକୁ ସରକାର ଗଢ଼ିବା ନିମନ୍ତେ ସଂଖ୍ୟାଗରିଷ୍ଠତା ହାସଲ କରିବାପାଇଁ ଆଉ ୨ଟି ଆସନ ଦରକାର ଥିବାବେଳେ କଂଗ୍ରେସକୁ ବସପା ସମର୍ଥନ ଦେଇଥିଲା। ଏବେ ବସପା କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା କଥା କହିଥିବାରୁ କଂଗ୍ରେସର ଚିନ୍ତା ବଢ଼ିଯାଇଛି।
କଂଗ୍ରେସକୁ ଧମକାଇଲେ ମାୟାବତୀ:ମଧ୍ୟପ୍ରଦେଶରୁ ସମର୍ଥନ ପ୍ରତ୍ୟାହର କରିବୁ
ବିଏସ୍ପି ପ୍ରାର୍ଥୀ କଂଗ୍ରେସରେ ଯୋଗ ଦେବାରୁ ବିବାଦ ବଢ଼ିଲା
/sambad/media/post_attachments/wp-content/uploads/2019/05/mayawati-1-696x392.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)