ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ମନୋନୀତ କରିଛନ୍ତି। ୨୦୧୯ରେ ମାୟାବତୀଙ୍କ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରମୁଖ ଚେହେରା ଆକାଶ ଆନନ୍ଦ ଦଳର ରାଷ୍ଟ୍ରୀୟ ସଂଯୋଜକ ଅଛନ୍ତି। ଆଜି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିବା ବେଳେ ମାୟାବତୀ ଏହି ଘୋଷଣା କରିଛନ୍ତି। ସବୁବେଳେ ବଂଶବାଦ ରାଜନୀତିର ସମାଲୋଚନା କରୁଥିବା ମାୟାବତୀ ୨୦୧୯ରେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ କରିଥିଲେ ଏବଂ ପୁତୁରା ଆକାଶଙ୍କୁ ଜାତୀୟ ସଂଯୋଜକ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୨୮ ବର୍ଷୀୟ ଆକାଶ ରାଜନୀତିରେ ପ୍ରବେଶ କରିଥିଲେ। ମାୟାବତୀ ଏବଂ ଅନ୍ୟ ବରିଷ୍ଠ ବିଏସ୍ପି ନେତାଙ୍କ ସହ ତାଙ୍କୁ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀଙ୍କ ଉତ୍ତରାଧିକାରୀ ଭାବେ ଘୋଷିତ ପୁତୁରା ଆକାଶ ଆନନ୍ଦ ଗତବର୍ଷଠାରୁ ରାଜସ୍ଥାନ ପାଇଁ ଦଳର ଦାୟିତ୍ୱରେ ଅଛନ୍ତି। ୨୮ ବର୍ଷୀୟ ଆକାଶ ମଧ୍ୟ ବିଏସ୍ପିର ରାଷ୍ଟ୍ରୀୟ ସଂଯୋଜକ ପଦବୀରେ ରହିଛନ୍ତି। ଆକାଶ ଆନନ୍ଦଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟକୁ ଦେଖିଲେ ସେ ନିଜକୁ ‘ବାବା ସାହେବଙ୍କ ଆଦର୍ଶର ଜଣେ ଯୁବ ସମର୍ଥକ’ ବୋଲି ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରୁ ଲକ୍ଷ୍ନୌରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଆକାଶ ଆନନ୍ଦଙ୍କ ଉପସ୍ଥିତିକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳରେ ତାଙ୍କର ପତିଆରା ବୃଦ୍ଧିର ଆଉ ଏକ ଉଦାହରଣ ଭାବେ ଦେଖାଯାଉଥିଲା। ସେହି ମାସରେ ଆକାଶ ଆନନ୍ଦ ଦଳର ୧୪ ଦିନିଆ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ ସଂକଳ୍ପ ଯାତ୍ରା’ର ନେତୃତ୍ୱ ନେଇଥିଲେ।
ଲଣ୍ଡନରୁ ଏମ୍ଡିଏ ଡିଗ୍ରି ହାସଲ କରିଥିବା ଆକାଶ ଆନନ୍ଦଙ୍କୁ ଜାନୁଆରି ୨୦୧୯ରେ ମାୟାବତୀ ଦଳରେ ସାମିଲ କରିବା ନେଇ ଘୋଷଣା କରିଥିଲେ। ତେବେ ସେ ପରିବାରବାଦ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ନିକଟରେ ମୁଁ ଆନନ୍ଦଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲି, କିନ୍ତୁ ପରିବାରବାଦ କାରଣରୁ ସେ ନିଜେ ଏହି ପଦ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଭାଗ୍ୟବଶତଃ ମୋ ଜନ୍ମଦିନରେ ଆକାଶଙ୍କୁ ଦେଖିବା ପରେ କିଛି ଚ୍ୟାନେଲ ତାଙ୍କୁ ଟାଣି ଆଣି ଦଳର ଭବିଷ୍ୟତ ଚେହେରା ଭାବେ ଉପସ୍ଥାପନ କରିଥିଲେ ବୋଲି ମାୟାବତୀ ଗଣମାଧ୍ୟମକୁ କହିଛନ୍ତି। ପରେ ଜୁନ୍ ମାସରେ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ଉପାଧ୍ୟକ୍ଷ ଏବଂ ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୯ରେ ଆକାଶ ଆନନ୍ଦ ତାଙ୍କର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି-ବିଏସ୍ପି-ରାଷ୍ଟ୍ରୀୟ ଲୋକଦଳ ମେଣ୍ଟକୁ ସମର୍ଥନ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ।