ହନୁମାନଗଡ଼: ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରେ ଅବୈଧ ପ୍ରେମ ସମ୍ପର୍କକୁ ନେଇ ଜଣେ ଦଳିତଙ୍କୁ ନୃଶଂସଭାବେ ହତ୍ୟା କରାଯିବା ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି। ବିଏସ୍‌ପି ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି: ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରା ଏବେ ସେଠାକୁ ଯିବେ କି? ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ଗେହଲଟ ସରକାରରେ ଦଳିତମାନେ ସୁରକ୍ଷିତ ନୁହନ୍ତି। ଇତିମଧ୍ୟରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଶନିବାର ଗିରଫ କରିଥିବାବେଳେ ଅନ୍ୟ ଚାରିଜଣଙ୍କୁ ଖୋଜୁଛି ବୋଲି ପ୍ରକାଶ କରିଛି। ପୁଲିସର କହିବା ଅନୁସାରେ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ଜଣେ ଅଭିଯୁକ୍ତର ସ୍ତ୍ରୀ ସହ ହତ୍ୟାର ଶିକାର ହୋଇଥିବା ଦଳିତ ବ୍ୟକ୍ତିଙ୍କର ଅବୈଧ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୯ ବର୍ଷୀୟ ଜଗଦୀଶ ମେଘୱାଲଙ୍କ ଉପରେ ହେଉଥିବା ଆକ୍ରମଣର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକଭାବେ ପ୍ରସାରିତ ହୋଇଥିଲା। ମେଘୱାଲଙ୍କ ପିତା ବନୱାରୀ ଲାଲଙ୍କ ଅଭିଯୋଗ ଭିତ୍ତିରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ବନୱାରୀଲାଲଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ମୃତକର ଶରୀରକୁ ଗତ ଗୁରୁବାର ନେଇ ପ୍ରେମପୁରା ଗାଁରେ ପକାଇଦେଇଥିଲେ। ଏଫ୍‌ଆଇଆର୍‌ରେ ମୃତକଙ୍କ ପ୍ରେମ ସମ୍ପର୍କ ଥିବା ମହିଳା, ତାଙ୍କ ସ୍ବାମୀ ମୁକେଶ, ତାଙ୍କର ତିନିଜଣ ସମ୍ପର୍କୀୟଙ୍କ ସମେତ ୧୧ ଜଣଙ୍କ ନାମ ରହିଛି।