ଦୁର୍ଘଟଣା ପୂର୍ବରୁ ପାକ୍‌ ବିମାନ କକ୍‌ପିଟ୍‌ ଭିତରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି; ପାଇଲଟ ଚିତ୍କାର କରିଥିଲେ, ‘ସାର୍‌, ମେଡେ, ମେଡେ, ପାକିସ୍ତାନ ୮୩୦୩’

କରାଚି: ପାକିସ୍ତାନର କରାଚିସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ଯେପରି ଭାବେ ଦୁର୍ଘଟଣାଗ୍ରସ୍ତ ହେଲା, ତାକୁ କେନ୍ଦ୍ର କରି ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଯାଇଛି।

ତେବେ, ଏହି ଦୁର୍ଘଟଣାକୁ କେନ୍ଦ୍ର କରି ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁଯାୟୀ ଦୁର୍ଘଟଣାର ଅବ୍ୟବହିତ ପୂର୍ବରୁ ବିମାନର କକ୍‌ପିଟ ମଧ୍ୟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି। ଅବତରଣର ଠିକ୍‌ ଅବ୍ୟବହିତ ପୂର୍ବରୁ ବିମାନଟିର ଦୁଇଟିଯାକ ଇଞ୍ଜିନ୍‌ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ଏଘଟଣା ଜାଣିବା ପରେ ବିମାନର ପାଇଲଟ କକ୍‌ପିଟ ଭିତରୁ ଅସହାୟ ଭିବେ ଚିତ୍କାର କରି ଉଠିଥିଲେ, ‘ମେଡେ.. ମେଡେ.. ମେଡେ’… (‘ମେଡେ’ ହେଉଛି ଏକ ସାଙ୍କେତିକ ଶବ୍ଦ। ବିମାନ ଆକାଶରେ ଉଡ଼ାଣ ଭରୁଥିବା କାଳରେ ଯେତେବେଳେ ଜରୁରୀକାଳିନ ଅବସ୍ଥା ସୃଷ୍ଟି ହୋଇଥାଏ ବା ବିମାନର ଇଞ୍ଜିନ ଅକାମୀ ହୋଇ ଯାଇଥାଏ; ସେତେବେଳେ ହିଁ ପାଇଲଟ ଏହି ଶବ୍ଦ ଉଚ୍ଚାରଣ ପୂର୍ବକ ଏଟିସିକୁ ସୂଚନା ଦେଇ ସହାୟତା ମାଗିଥାନ୍ତି)। ଆଉ, ଏଟିସି ଯେତେବେଳେ ଏହାକୁ ଶୁଣି ବିମାନ ଆଡ଼କୁ ଚାହିଁଲା, ସେତେବେଳେ ଦେଖିବାକୁ ପାଇଲା ଯେ ବିମାନଟି ଜଳନ୍ତା ଅବସ୍ଥାରେ ଖଣ୍ଡ ଖଣ୍ଡ ହୋଇ ତଳକୁ ଖସି ପଡ଼ୁଛି। ବିମାନ ବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଓ ଦୁର୍ଘଟଣାଗ୍ରସ୍ତ ପାଇଲଟଙ୍କ ମଧ୍ୟରେ ହୋଇଥିବା ଶେଷ ବାର୍ତ୍ତାଳାପ ରେକର୍ଡିଂରୁ ଏବିଷୟ ସ୍ପଷ୍ଟ ହୋଇଛି। ତେବେ, ଆସନ୍ତୁ ଜାଣିବା ଏଟିସି ଓ ପାଇଲଟଙ୍କ ମଧ୍ୟରେ କ’ଣ ଥିଲା ଶେଷ ବାର୍ତ୍ତାଳାପ…

ପାଇଲଟ୍‌: ପିକେ ୮୩୦୩ ଅବତରଣ କରିବ
ଏଟିସି: ଜୀ ସାର୍‌
ପାଇଲଟ୍‌: ଆମେ ବିମାନକୁ ବାମକୁ ବୁଲାଇବୁ?
ଏଟିସି: ଠିକ୍‌ ଅଛି
ପାଇଲଟ୍‌: ଆମେ ସିଧା ଯାଉଛୁ। ଆମର ଦୁଇଟି ଯାକ ଇଞ୍ଜିନ୍‌ ଅକାମୀ ହୋଇଯାଇଛି
ଏଟିସି: ଲ୍ୟାଣ୍ଡିଂ କନଫର୍ମ କରନ୍ତୁ
ପାଇଲଟ୍‌: ଅସ୍ପଷ୍ଟ
ଏଟିସି: ଅବତରଣ ପାଇଁ ୨ ୫ ରନ୍‌େଓ୍ଵ ଉପଲବ୍ଧ
ପାଇଲଟ୍‌: ରୋଜର
ପାଇଲଟ୍‌: ସାର୍‌, ମେଡେ, ମେଡେ, ମେଡେ, ପାକିସ୍ତାନ ୮୩୦୩

ବାସ୍‌ ଏତିକି। ତା’ପରେ ବିମାନର ସଂପର୍କ ଏଟିସି ସହ କଟି ଯାଇଥିଲା। ଓ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବିମାନ।

ଉଲ୍ଲେଖଯେ।ଗ୍ୟ, ଆଜି ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ଅପରାହ୍ଣ ୧ଟା ସମୟରେ ଲାହୋର ବିମାନ ବନ୍ଦରରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା ଏହି ବିମାନ। ଲାହୋରରୁ କରାଚି ୧୦୨୦ କିଲୋମଟର ହୋଇଥିବା ବେଳେ ବିମାନରେ ୨ଘଣ୍ଟା ସମୟ ଲାଗିଥାଏ। ତେବେ, ୨ଟା ୪୫ ମିନିଟ ସମୟରେ ବିମାନଟି କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପହଞ୍ଚିଯିିବା ପରେ ଅବତରଣ ପାଇଁ (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ଏଟିସିକୁ ଅନୁମତି ମାଗିଥିଲା ଓ ପରେ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା।

ସମ୍ବନ୍ଧିତ ଖବର