ଭୁବନେଶ୍ବର : ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଏକ ଭୂସ୍ବର୍ଗ କହିଲେ ଭୁଲ ହେବ ନାହିଁ । ଓଡ଼ିଶାର ପ୍ରାକୃତିକ ପରିବେଶ ସାରା ବିଶ୍ବରୁ ପର୍ଯ୍ୟଟକମାନଙ୍କୁ ଟାଣି ଆଣିଥାଏ । ଏବେ ବିଶ୍ବର ପ୍ରସିଦ୍ଧ ଟାଇମ ପତ୍ରିକା ମଧ୍ୟ ଏହାକୁ ସ୍ବୀକାର କରିଛି । ଟାଇମ ପତ୍ରିକା ଦ୍ବାରା ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଦୁଇଟି ସ୍ଥାନ ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି ।

Advertisment

publive-image

ମୟୁରଭଞ୍ଜ ସଂପର୍କରେ ଟାଇମ ପତ୍ରିକା ଲେଖିଛି ଯେ ମୟୁରଭଞ୍ଜ ନିଜର ପ୍ରାକୃତିକ ପରିବେଶ, ବାଘ, ପ୍ରାଚୀନ ମନ୍ଦିର ଓ ଛଉ ନୃତ୍ୟ ପାଇଁ ପରିଚିତ । ମୟୁରଭଞ୍ଜର ପ୍ରସିଦ୍ଧ ବେଲଗାଡ଼ିଆ ପ୍ରାସାଦ ସମ୍ପର୍କରେ ମଧ୍ୟ ଟାଇମ ଉଲ୍ଲେଖ କରିଛି । ଏହା ସହିତ ସବାଇ ଘାସ ସାମଗ୍ରୀ ଓ ଡୋକ୍ରା କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି ।

ମୟୁରଭଞ୍ଜରେ ଥିବା ସିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ବରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, ମହାବଳ ବାଘଙ୍କ ପାଇଁ ଏହା ବିଶ୍ବର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ମଧ୍ୟ ଅତ୍ୟନ୍ତ ବିରଳ କଳାବାଘ ପାଇଁ ପ୍ରସିଦ୍ଧ ବୋଲି ଟାଇମ ଉଲ୍ଲେଖ କରିଛି । କେବଳ ମୟୁରଭଞ୍ଜ ନୁହେଁ, ସମଗ୍ର ଓଡ଼ିଶା ନିଜର ଜୈବ ବିବିଧତା ପାଇଁ ବେଶ ପରିଚିତ । ଭୁବନେଶ୍ବରର ବିଭିନ୍ନ କୀର୍ତ୍ତିରାଜି ଓ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ଆରମ୍ଭ କରାଯାଇଥିବା ଓଡ଼ିଶା ଓ୍ବାକ୍ସ ଓ ଜୟପୁରର ନାକଟି ଡଙ୍ଗର ପାହାଡ଼ ସଂପର୍କରେ ବି ଏଥିରେ ଉଲ୍ଲେଖ ରହିଛି ।