ନୂଆଦିଲ୍ଲୀ : ଆଇଆଇଏମ୍‌ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସରେ ବୃତ୍ତିଧାରୀଙ୍କ ପାଇଁ ଦୁଇ ବର୍ଷିଆ ଏମ୍‌ବିଏ ପାଠ୍ୟକ୍ରମ ଆରମ୍ଭ ହେବ। ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜସ୍ଥିତ ଆଇଏସ୍‌ଆଇଡି କ୍ୟାମ୍ପସରେ ଏହା କାର୍ଯ୍ୟ କରିବ। ଆଇଆଇଏମ୍‌ ସମ୍ବଲପୁର ଦ୍ବାରା ଆଜି ସ୍ଥାନୀୟ ‘ଇଣ୍ଡିଆ ହାବିଟାଟ୍‌ ସେଣ୍ଟର’ରେ ଆୟୋଜିତ ଏକ ଆଲୋଚନାଚକ୍ର ଅବସରରେ ଏହା ଘୋଷଣା କରାଯାଇଛି। ଆଲୋଚନାଚକ୍ରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାସ ସରକାର ଉପସ୍ଥିତ ଥିଲେ। ଆଇଆଇଏମ ସମ୍ବଲପୁର ଦେଶର ଷ୍ଟାର୍ଟଅପ୍ ବାତାବରଣକୁ ସମର୍ଥନ କରିବା ସହିତ ନୂତନ ପଦକ୍ଷେପକୁ ଶ୍ରୀ ସରକାର ସ୍ବାଗତ କରିଥିଲେ। ଏହି ପାଠ୍ୟକ୍ରମ ପାଇଁ ତିନି ବର୍ଷର ପରିଚାଳନାଗତ ତଥା ବୃତ୍ତିଗତ ଅଭିଜ୍ଞତାର ଆବଶ୍ୟକତା ରହିଛି।

Advertisment

ଆଇଏସଆଇଡି କ୍ୟାମ୍ପସରେ ସପ୍ତାହରେ ଦୁଇ ଦିନ (ଶନିବାର ଓ ରବିବାର) କ୍ଲାସ ହେବ। ଅନ୍ତର୍ଜାତୀୟ ଓ ଭାରତୀୟ ପ୍ରଫେସରମାନେ ଶିକ୍ଷା ଦାନ କରିବେ। ଦୁଇ ବର୍ଷିଆ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନଲାଇନ ଆବେଦନ ମେ ୮ରୁ ଆରମ୍ଭ ହେବ। ଆବେଦନ କରିବାର ଅନ୍ତିମ ତିଥି ଜୁନ୍‌ ୧୨, ୨୦୨୩ ପର୍ଯ୍ୟନ୍ତ ରହିବ। ଜୁଲାଇ ପ୍ରଥମ ସପ୍ତାହରେ ନାମ ଲେଖା ପ୍ରକ୍ରିୟା ଶେଷ ହେବ ଏବଂ ପାଠ୍ୟକ୍ରମ ଜୁଲାଇ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ। ଦୁଇ ବର୍ଷିଆ ଏମ୍‌ବିଏ ପାଠ୍ୟକ୍ରମ ପାଇଁ ଆଡମିସନ ଫି ୧୪ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଇଆଇଏମ୍‌ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସ୍‌ ଘୋଷଣା ଅବସରରେ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ କହିଥିଲେ ଏହି କ୍ୟାମ୍ପସ ଜରିଆରେ ବିଶ୍ବସ୍ତରୀୟ ମ୍ୟାନେଜ‌ମେଣ୍ଟ ଶିକ୍ଷା ପ୍ରଦାନ କରାଯିବ।

ଦିଲ୍ଲୀ କ୍ୟାମ୍ପସରେ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ଉପରେ ବିଶେଷ ଫୋକସ୍‌ ରହିବ ବୋଲି ସେ କହିଥିଲେ। ନୂତନ ଶିକ୍ଷା ନୀତି ଅନୁସାରେ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟରୁ ଦ୍ବିତ ଡିଗ୍ରି ହାସଲ ପାଇଁ ବ୍ୟବସ୍ଥା ରହିଛି। ଏହି କ୍ରମରେ ପ୍ୟାରିସ ବିଶ୍ବବିଦ୍ୟାଳୟର ସବୋନ୍ ବିଜିନେସ୍‌ ସ୍କୁଲରୁ ଦ୍ବିତ ଡିଗ୍ରି ହାସଲ କରାଯାଇ ପାରିବ। ଏଥି ପାଇଁ ଆଇଆଇଏମ୍‌ ସମ୍ବଲପୁର ଉପରୋକ୍ତ ବିଶ୍ବବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି।