ବୋମା ଅଛି ବୋଲି ମିଛରେ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫୋନ୍‌ କରି ଏମ୍‌ବିଏ ସ୍ନାତକ ଗିରଫ

ବେଙ୍ଗାଲୁରୁ: ବୋମା ଅଛି ବୋଲି ଗୋଟିଏ ସପ୍ତାହ ମଧ୍ୟରେ ବହୁଥର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ଏବଂ କେଏସ୍‌ଆର୍‌ ସିଟି ରେଳବାଇ ଷ୍ଟେସନ୍‌କୁ ମିଛରେ ଫୋନ୍‌ କରି ମେକାନିକାଲ୍‌ ଇଞ୍ଜିନିୟରିଙ୍ଗ୍‌ ଏବଂ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତି ପୁଲିସ ହାଜତରେ ପଶିଛନ୍ତି।

ସେ ଅବିବାହିତ ବ୍ୟକ୍ତିଙ୍କ ନାମ ହେଉଛି କେ ଅଦିତି ରାଓ। ଉଦୁପି ଜିଲ୍ଲା ଅନ୍ତର୍ଗତ ମଣିପାଲ ବାସିନ୍ଦା ଅଦିତି ଚାକିରି ଅନେ୍ଵଷଣରେ ବେଙ୍ଗାଲୁରୁ ଆସିଥିଲେ।

ସେ ପୁଲିସକୁ କହିଛନ୍ତି କି, ସିକ୍ୟୁରିଟି ଗାର୍ଡ ନିମନ୍ତେ ତାଙ୍କ ଆଦେଦନ ପତ୍ରକୁ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ଦୁଇ ଦୁଇଥର ନାକଚ କରିଦେବାରୁ ସେ ହତାଶ ହୋଇ ପଡ଼ିଥିଲେ।

ପୁଲିସ ଡେପୁଟି କମିସନର୍‌ କାଲା କୃଷ୍ଣମୂର୍ତ୍ତି କହନ୍ତି ଯେ ଆମେ ଅଭିଯୁକ୍ତଙ୍କର ପୃଷ୍ଠଭୂମି ଯାଞ୍ଚ କରୁଛୁ। ଅଗଷ୍ଟ ୨୧ ଏବଂ ୨୭ ତାରିଖ ଦିନ ରାଓ କେମ୍ପେଗୌଡ଼ା ବିମାନ ବନ୍ଦରକୁ ଓ ଅଗଷ୍ଟ ୨୭ ତାରିଖ ଦିନ କ୍ରାନ୍ତିବୀର ସାଙ୍ଗୋଲି ରାୟାନ୍ନା ରେଳ ଷ୍ଟେସନକୁ ବୋମା ଅଛି ବୋଲି ମିଛରେ ଫୋନ୍‌ କରିଥିଲେ।

ଚାକିରି ପାଇଁ ଦୁଇ ଥର ଆବେଦନ କରିଥିବା କଥାକୁ ପୁଲିସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ଯୁବକ କାହିଁକି ସିକ୍ୟୁରିଟି ଗାର୍ଡ ପାଇଁ ଆବେଦନ କରିବ? ସେମିତି କୌଣସି ଆବେଦନ ପତ୍ର ଅଛି କି, ନାହିଁ ଯାଞ୍ଚ କରିବାକୁ ଆମେ କେମ୍ପେଗୌଡ଼ା ବିମାନ ବନ୍ଦରକୁ କହିଛୁ।

୨୦୦୮ରେ ରାଓ ଏମ୍‌ଜି ରୋଡ୍‌ରେ ଶାଖା ଥିବା ଏକ ମଲ୍‌ଟିନେସ୍‌ନାଲ୍‌ ବ୍ୟାଙ୍କ୍‌ରେ ସେଲ୍‌ସ୍‌ ବିଭାଗରେ ଜୁନିୟର୍‌ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରିଥିଲେ। ତିନି ବର୍ଷ ପରେ ସେଲ୍‌ସ୍‌ ମ୍ୟାନେଜର୍‌ ଭାବେ ଅନ୍ୟ ଏକ ବ୍ୟାଙ୍କ୍‌ରେ ଯୋଗ ଦେଇଥିଲେ। କୌଣସି ବୈଷୟିକ ଅସୁବିଧା ଯୋଗୁଁ ସେ ୨୦୧୪ରେ କମ୍ପାନି ଛାଡ଼ି ଉଦୁପିସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲେ ବୋଲି ପୁଲିସ କହିଛି।

ରାଓ ଜଣେ ସିକ୍ୟୁରିଟି ଗାର୍ଡ ହେବାକୁ ମନବଳାଇବାରୁ ତାଙ୍କ ଘର ଲୋକେ ବିବ୍ରତ ହୋଇ ଉଠିଥିଲେ। ରାଓଙ୍କ ବାପା ଏକ ଘରୋଇ କମ୍ପାନିରେ କାମ କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ମାଆ ଜଣେ ଗୃହିଣୀ। ତାଙ୍କ ସାନ ଭାଇ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ଘର ଚାପରେ ଅଦିତି ସ୍କୁଲ୍‌ରୁ ଚାକିରି ଛାଡ଼ି ଉଦୁପିସ୍ଥିତ ଏକ ମଠରେ ପାଚକ କାମ କରୁଥିଲେ। ପୁଣି ତାଙ୍କ ପିତାମାତା ଏହାକୁ ବିରୋଧ କରି ଭଲ ଚାକିରିଟିଏ ଖୋଜିବାକୁ ମେ ମାସରେ ତାଙ୍କୁ ବେଙ୍ଗାଲୁରୁ ପଠାଇଥିଲେ।

ଅନ୍ୟମାନଙ୍କ ଠାରୁ ସେ ଟିକିଏ ଭିନ୍ନ ହେବା ଛଡ଼ା ତାଙ୍କ ଠାରେ ଅନ୍ୟ କୌଣସି ଅସ୍ୱାଭାବିକ ଆଚରଣ ଦେଖି ନାହାନ୍ତି ପୁଲିସ।

ସମ୍ବନ୍ଧିତ ଖବର