୧୬ ରାଜ୍ୟରେ ୩୪୯୫ ଏମ୍‌ବିବିଏସ୍‌ ସିଟ୍‌ ବଢ଼ିବ, ଓଡ଼ିଶାରେ ୨୦୦ ସିଟ୍‌ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ : ଓଡ଼ିଶା ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଞ୍ଜାବ, ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର, ମଣିପୁର ଓ ଉତ୍ତର ପ୍ରଦେଶରେ ୩୪୯୫ ଏମ୍‌ବିବିଏସ୍ ସିଟ୍‌ ବଢ଼ିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ଓଡ଼ିଶାରେ ୨୦୦ ସିଟ୍‌ ବୃଦ୍ଧି ହେବାର ସମ୍ଭାବନା ରହିଛି। ରାଜସ୍ଥାନରେ ସର୍ବାଧିକ ୭ ଶହ ସିଟ୍‌ ଓ ମଧ୍ୟପ୍ରଦେଶରେ ୬ ଶହ ସିଟ୍‌ ବଢ଼ିବ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ସରକାରୀ ମେଡିକାଲ କଲେଜକୁ ଅପଗ୍ରେଡ୍‌ କରାଯିବା ପରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଓଡ଼ିଶାରେ ମୋଟ ୨୧୨୫ଟି ସିଟ୍‌ ରହିଛି। ଏଥି ମଧ୍ୟରୁ ୯ଟି ସରକାରୀ ମେଡିକାଲ କଲେଜରେ ୧୩୭୫ ଓ ୪ ଟି ଘରୋଇ ମେଡିକ‌ାଲ କଲେଜରେ ୭୫୦ଟି ସିଟ୍‌ ରହିଛି। ନ୍ୟାସନାଲ୍‌ ମେଡିକାଲ କମିସନଙ୍କ ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୬୧୨ ମେଡିକାଲ କଲେଜରେ ୯୧ ହଜାର ୯୨୭ ଏମ୍‌ବିବିଏସ୍‌ ସିଟ୍‌ ରହିଛି।

ସମ୍ବନ୍ଧିତ ଖବର