ନୂଆଦିଲ୍ଳୀ: ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନ ଆଉ ପିଓକରେ ଭାରତ କରିସାରିଛି ଏୟାରଷ୍ଟ୍ରାଇକ୍ । ହେଲେ ଏହି ଏୟାରଷ୍ଟ୍ରାଇକ୍ ଭାରତ କାହିଁକି କଲା, ଆଉ କଣ ପାଇଁ କଲା, ସେନେଇ ଏବେ ବିଶ୍ୱକୁ ବତାଇବା ପାଇଁ ସାଂସଦମାନଙ୍କର ଗୋଟିଏ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଯିଏକି ବିଦେଶ ଗସ୍ତରେ ଯାଇ ପାକିସ୍ତାନର ଗୁମର ଖୋଲିବା ସହିତ, ଭାରତର ପକ୍ଷ ରଖିବେ ।

Advertisment

ତେବେ ଏଭଳି ଏକ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଟିଏମସି ସାଂସଦ ୟୁସୁଫ ପଠାନଙ୍କ ଗୋଟିଏ ନିଷ୍ପତ୍ତି, ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ପାକିସ୍ତାନ ବିରୋଧରେ କହିବାକୁ ବିଦେଶ ଗସ୍ତରେ ଯାଉଥିବା ସାଂସଦଙ୍କ ଏହି ଟିମରେ ସାମିଲ ହେବାକୁ ମନା କରିଦେଇଛନ୍ତି ୟୁସୁଫ ପଠାନ ।

ୟୁସୁଫ ପଠାନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ସେ ଏହି ବିଦେଶ ଗସ୍ତ ପାଇଁ ଉପଲବ୍ଧ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା ବୋଲି କହିଛନ୍ତି ୟୁସୁଫ ପଠାନ । ଖାଲି ସେତିକି ନୁହେଁ, ତାଙ୍କ ଦଳ ଟିଏମସି ସହିତ ମଧ୍ୟ ଏନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନି ବୋଲି ସୂଚନା ମିଳୁଛି ।

ସେପଟେ ଟିଏମସିର ସାଂସଦ ଭାବେ ୟୁସୁଫ ପଠାନ ପାକିସ୍ତାନ ବିରୋଧରେ କହିବାକୁ, ବିଦେଶ ଗସ୍ତରେ ଯିବାକୁ ମନା କଲା ପରେ, ଟିଏମସି କହିଛି, ବିଦେଶ ନୀତି ଭାରତ ସରକାରଙ୍କ ବିଷୟ ଅଟେ । ଏହାର ପୂରା ଦାୟିତ୍ୱ ଭାରତ ସରକାର ନେବା ଉଚିତ୍।

ଜାଣିରଖିବା ଉଚିତ ଯେ, ପହଲଗାମ ଆକ୍ରମଣ, ଆଉ ଭାରତର ଏୟାରଷ୍ଟ୍ରାଇକ୍ ପରେ, ବର୍ତ୍ତମାନ ଏହି ପ୍ରସଙ୍ଗରେ ସାରା ବିଶ୍ୱକୁ ଜଣାଇବା ପାଇଁ ପ୍ରୟାସ କରୁଛି ଭାରତ । ଏଥିପାଇଁ ୭ ଜଣ ସାଂସଦଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶକୁ ଗସ୍ତ କରିବେ । ତେବେ ଏହି ଗସ୍ତରେ କିନ୍ତୁ ଯିବାକୁ ମନା କରିଦେବା ପରେ, ୟୁସୁଫ ପଠାନଙ୍କୁ କେଉଁଭଳି ପ୍ରତିକ୍ରିୟା ମିଳୁଛି, ତାହା ଦେଖିବାକୁ ବାକି ରହିଲା ।