ସ୍ପେନୀୟ ଅଦାଲତ ପ୍ରତ୍ୟର୍ପଣ ପାଇଁ ରାଜି ହେବାରୁ ଜେଲ୍‌ରେ ଆତ୍ମହତ୍ୟା କଲେ ପ୍ରଥମ ଆଣ୍ଟି-ଭାଇରସ୍‌ ସଫ୍ଟୱେର୍‌ କମ୍ପାନି ‘ମକଅଫି’ର ପ୍ରତିଷ୍ଠାତା

ମାଡ୍ରିଡ୍: ଟିକସ ଫାଙ୍କି ଅଭ‌ିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତ୍ୟର୍ପଣ କରାଯିବା ଲାଗି ସ୍ପେନୀୟ ହାଇକୋର୍ଟ ଅନୁମତି ଦେବାରୁ କମ୍ପ୍ୟୁଟର୍‌ ଆଣ୍ଟି-ଭାଇରସ୍‌ ସଫ୍ଟୱେର୍‌ କମ୍ପାନି ‘ମକଅଫି’ର ପ୍ରଥମ ଉଦ୍ୟୋଗୀ ଜନ୍‌ ମକଅଫି ବୁଧବାର ଦିନ କାରରାଗାର ପ୍ରକୋଷ୍ଠ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କଥା ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି।

ପାଗଳ ଭଳି ଆଚରଣ ନିମନ୍ତେ ଜଣାଶୁଣା ୭୫ ବର୍ଷିୟ ମକଅଫି ୧୯୮୦ ଦଶକରେ ‘ଆଣ୍ଟିଭାଇରସ୍‌ ସଫ୍ଟୱେର୍‌’ ପ୍ରୋଗ୍ରାମ୍‌ ପ୍ରଚଳନ କରିଥିଲେ। ଟିକସ ଫାଙ୍କି ଅଭିଯୋଗରେ ତାଙ୍କୁ ଟିନେସିରେ ଅଭିଯୁକ୍ତ କରାଯାଇଥିଲା। ଏହାଛଡ଼ା ନ୍ୟୁୟର୍କରେ ମଧ୍ୟ ତାଙ୍କ ନାମରେ ‘କ୍ରିପ୍ଟୋକରେନ୍ସି’ ଜାଲିଆତି ଅଭିଯୋଗ ହୋଇଥିଲା।

ଅକ୍ଟୋବର ମାସରେ ବାର୍ସିଲୋନା ବିମାନ ବନ୍ଦରରୁ ମକଅଫିଙ୍କୁ ଗିରଫ କରାଯାଇ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ କାରାଗାର ପ୍ରକୋଷ୍ଠରୁ ୭୫ ବର୍ଷିୟ ଆମେରିକୀୟ ନାଗରିକ ମକଅଫିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ପ୍ରାଦେଶିକ ନ୍ୟାୟିକ ବିଭାଗ ସୁନିଶ୍ଚିତ କରି କହିଛି। କାରାଗାର କର୍ତ୍ତୃପକ୍ଷମାନେ ତାଙ୍କ ମୃତ୍ୟୁର କାରଣ ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି।

Image Courtesy of NDTV

ବୁଧବାର ଦିନ ରିଲିଜ୍‌ ହୋଇଥିବା କୋର୍ଟ ଡକୁମେଣ୍ଟ୍‌ ଅନୁସାରେ, ମକଅଫିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତ୍ୟର୍ପଣ ନିମନ୍ତେ ସ୍ପେନୀୟ ହାଇକୋର୍ଟ ରାଜି ହୋଇଥିଲା। କିନ୍ତୁ, ଏହା ଉପରେ ଆପତ୍ତି କରିବା ପାଇଁ ତାଙ୍କର ସୁଯୋଗ ଥିଲା ବୋଲି ଓକିଲ ଜାଭିୟର୍‌ ଭିଲଲ୍‌ବା କହିଛନ୍ତି।

୨୦୧୧ରେ ‘ଇନ୍‌ଟେଲ୍‌’କୁ ତାଙ୍କର ସଫ୍ଟୱେର୍‌ କମ୍ପାନି ବିକ୍ରୟ କରିଥିବା ମକଅଫି ଆଉ ବ୍ୟବସାୟରେ ସମ୍ପୃକ୍ତ ନ ଥିଲେ। ଆଦର୍ଶଗତ କାରଣରୁ ସେ ୮ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାର ଆୟକର ଟିକସ ଦେଇ ନାହାନ୍ତି ବୋଲି ୨୦୧୯ରେ କହିଥିଲେ। ବିଚାର ଏଡ଼ାଇବା ଲାଗି ସେ ଯୁକ୍ତରାଷ୍ଟ୍ର ଆମେରିକା ଛାଡ଼ି ଚାଲିଯାଇଥିଲେ। ଏହାପରେ ସେ ସ୍ପେନ୍‌ରେ ଅଧିକାଂଶ ସମୟ ଏକ ବିରାଟ ନୌକାରେ ତାଙ୍କ ପତ୍ନୀ, ଚାରିଟି କୁକୁର ଏବଂ ଦୁଇଜଣ ନିରାପତ୍ତା ରକ୍ଷୀ ଏବଂ ସାତଜଣ କର୍ମଚାରୀଙ୍କ ସହ ବାସକରୁଥିଲେ।

ଏହାପୂର୍ବରୁ ଅନେକ ବର୍ଷ ଧରି ବିଲିଜ୍‌ରେ ବାସ କରୁଥିବା ମକଅଫି ୨୦୧୮ରେ କହିଥିଲେ କି, ସେ ଅନ୍ୟୂନ ୪୭ଜଣ ପିଲାଙ୍କର ବାପା ହୋଇଛନ୍ତି।

ସମ୍ବନ୍ଧିତ ଖବର