ଡିସେମ୍ବର ୪ରେ ଏମ୍‌ସିଡି ନିର୍ବାଚନ: ପ୍ରବାସୀ ଓଡ଼ିଆଙ୍କ ‌ଭୋଟ ଉପରେ ତିନି ପ୍ରମୁଖ ଦଳର ନଜର

ବିଜେପିର ତାରକା ପ୍ରଚାରକ ତାଲିକାରେ ତିନି ଓଡ଼ିଆ ନେତା

ନୂଆଦିଲ୍ଲୀ : ଆସନ୍ତାମାସ ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ୨୫୦ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ଉତ୍ତର ଦିଲ୍ଲୀ ନଗର ନିଗମ, ଦକ୍ଷିଣ ଦିଲ୍ଲୀ ନଗର ନିଗମ ଏବଂ ପୂର୍ବ ଦିଲ୍ଲୀ ନଗର ନିଗମ ପାଇଁ ନିର୍ବାଚନ ହେଉଥିଲା। ଏଥର କେନ୍ଦ୍ର ସରକାର ତିନୋଟି ନିଗମକୁ ଏକତ୍ରୀକରଣ କରି ମହାନଗର ନିଗମ ଗଠନ କରିଛନ୍ତି। ଏମସିଡି ନିର୍ବାଚନରେ ବିଜେପି, ଆମ ଆଦମୀ ପାର୍ଟି ଏବଂ କଂଗେସର ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତିନି ଦଳ ଦ୍ବାରା ପ୍ରଚାର ଅଭିଯାନ ଜୋରସରରେ ଆରମ୍ଭ ‌ହୋଇଛି।‌ ଦିଲ୍ଲୀର କିଛି ଅଂଚଳରେ ଓଡିଆମାନଙ୍କ ସଂଖ୍ୟାଧିକ ଉପସ୍ଥିତି ଥିବା ସ‌ତ୍ତ୍ବେ ଏଥର ତିନି ପ୍ରମୁଖ ଦଳ ପକ୍ଷରୁ କୌଣସି ଓଡ଼ିଆଙ୍କୁ ପ୍ରାର୍ଥୀ କରାଯାଇନାହିଁ। ଫଳରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକପ୍ରକାର ନିରାଶଭାବ ରହିଛି। କିନ୍ତୁ ତିନି ଦଳର ନଜର ଓଡ଼ିଆ ଭୋଟରଙ୍କ ଉପରେ ରହିଛି।

ଏଥର ଏମସିଡି ନିର୍ବାଚନରେ ବିଜେପି ପକ୍ଷରୁ ଯେଉଁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି ସେଥିରେ ଓଡ଼ିଶାର ତିନି ଜଣ ନେତା ସ୍ଥାନ ପାଇଛନ୍ତି। ସେମାନେ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ଜାତୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର। ଦିଲ୍ଲୀରେ ଓଡ଼ିଆଙ୍କ ସମର୍ଥନ ହାସଲ ପାଇଁ ଷ୍ଟାର ପ୍ରଚାରକଙ୍କ ସମେତ କର୍ମୀ ଓ ସମର୍ଥକ ଜୋରଦାର ପ୍ରୟାସ କରିବେ। ପୂର୍ବରୁ ଦିଲ୍ଲୀର ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାରୁ ବିଜେପି ନେତାମାନେ ପ୍ରଚାରରେ ଆସି ଓଡ଼ିଆ ବହୁଳ ଅଂଚଳରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଏଥର ଏମସିଡି ନିର୍ବାଚନରେ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କଡ଼ା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଦଳମାନଙ୍କ ପକ୍ଷରୁ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ପାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଥିବାର ଜଣାପଡିଛି। ସୂଚନାଯୋଗ୍ୟ,ଦିଲ୍ଲୀର କୋଟଲା, ହଜଖାସ, ସଙ୍ଗମ ବିହାର, ଶାହାପୁର ଜାଟ, ମୁନିରିକା, ମାଲବ୍ୟ ନଗର, ମେହୋରଲୀ, କଟୱାରିଆ ସରାଇ, ଲାଡୋ ସରାଇ, ନ୍ୟୁ ଅଶୋକ ନଗର,ଦ୍ବାରକା, ଦେଉଳି ଭଳି ସ୍ଥାନରେ ଓଡିଆମାନଙ୍କ ଉପସ୍ଥିତି ରହିଛି।

ଓଡ଼ିଆଙ୍କ ଭୋଟ ଉପରେ ଦଳଗୁଡ଼ିକର ନଜର ଥିଲେ ମଧ୍ୟ ଓଡ଼ିଆଙ୍କୁ ପ୍ରାର୍ଥୀ କରାଯାଉ ନାହିଁ। ଦିଲ୍ଲୀରେ ଯଦିଓ ବହୁସଂଖ୍ୟାରେ ଓଡ଼ିଆ ରହୁଛନ୍ତି କିନ୍ତୁ କୌଣସି ଅଞ୍ଚଳରେ ସେମାନଙ୍କ ସଂଖ୍ୟା ଗରିଷ୍ଠତା ନାହିଁ। ସବୁଠାରୁ ବିଡମ୍ବନାର କଥା ହେଉଛି ରାଜଧାନୀ ଦିଲ୍ଲୀରେ କେତେ ସଂଖ୍ୟକ ଓଡ଼ିଆ ରହୁଛନ୍ତି ତାହାର ସଠିକ ବିବରଣୀ ହାସଲ ହୋଇପାରୁନାହିଁ। ଅନ୍ୟପକ୍ଷେ ବିହାର,ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ହରିୟାଣା,ପଂଜାବ ରାଜ୍ୟର ବାସିନ୍ଦାଙ୍କ ସଂଖ୍ୟା ଅଧିକ ରହିଛି। ଉପ‌ରୋକ୍ତ ରାଜ୍ୟର ନେତ‌ାମାନଙ୍କର ଦବଦବା ରହିଆସିଛି। ଦିଲ୍ଲୀରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକାଧିକ ସମସ୍ୟା ରହିଥିବାରୁ ଏମସିଡିରେ ପ୍ରତିନିଧିତ୍ବ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରିବାର ଏକ ସୁଯୋଗ ସୃଷ୍ଟି କରି ପାରିଥାନ୍ତା ବୋଲି ଅନେକ ପ୍ରବାସୀ ଓଡିଆ ମତବ୍ୟକ୍ତ କରିଛନ୍ତି। ବିଶେଷକରି ପ୍ରବାସରେ ଲୋକମାନଙ୍କର ଶିକ୍ଷା,ସ୍ବାସ୍ଥ୍ୟ ଓ ରୋଜଗାର ଭଳି ସମସ୍ୟା ରହୁଛି। ରାଜନୈତିକ ସ୍ତରରେ ଏସବୁ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏମସିଡି ଭଳି ପ୍ଲାଟଫର୍ମ ଓଡ଼ିଆଙ୍କ ପାଇଁ ସହାୟକ ହୋଇପାରେ ବୋଲି ସୁପ୍ରିମକୋର୍ଟର ଆଡଭୋକେଟ୍‌ ଅନ ରେକର୍ଡ ସୁଧାଂଶୁ କୁମାର ପାଳ ମତବ୍ୟକ୍ତ କରିଛନ୍ତି। ଗତ କୋଡ଼ିଏ ବର୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦିଲ୍ଲୀରେ ଅବସ୍ଥିତ ଜଳସେଚନ ବିଭାଗରେ କାର୍ଯ୍ୟକରୁଥିବା ଓଡ଼ିଆ କର୍ମଚାରୀ ବେଦ ପ୍ରକାଶ ନାୟକଙ୍କ କହିବା ଅନୁସାରେ ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ପିଲାମାନଙ୍କ ପାଇଁ ଓଡ଼ିଆ ସ୍କୁଲ କିମ୍ବା କୌଣସି ପ୍ରକାର ସାଂସ୍କୃତିକ କେନ୍ଦ୍ର ନାହିଁ। ପ୍ରତ୍ୟେକ ଏମସିଡି ନିର୍ବାଚନରେ ପ୍ରବାସୀ ଓଡ଼ିଆ ମାନେ ଭୋଟ ଦେଉଛନ୍ତି। ଦିଲ୍ଲୀରେ ଯଦି ଓଡ଼ିଆ ବହୁଳ ଅଂଚଳଗୁଡ଼ିକୁ ଅନୁଧ୍ୟାନ କରି ସେମାନଙ୍କ ପାଇଁ କିଛି ଉଚିତ ବ୍ୟବସ୍ଥା କରିବାକୁ ଶ୍ରୀ ନାୟକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର