ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ନିରାପଦ ରାସ୍ତା ପ୍ରଦାନ ପାଇଁ ରୁଷ, ୟୁକ୍ରେନକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ : ୟୁକ୍ରେନର ସୁମି ସହର ଉପରେ ରୁଷର ବିମାନ ଆକ୍ରମଣ ଜାରି ରହିଛି । ସେଠାରେ ଫସିରହିଥିବା ଭାରତୀୟଙ୍କ ପାଇଁ ବିଦେଶ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି । ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଏକ ନିରାପଦ ପଥ ଉପଲବ୍ଧ କରିବାକୁ ଉଭୟ ରୁଷ ଓ ୟୁକ୍ରେନ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତାରେ ଅଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ନିରାପଦରେ ଉଦ୍ଧାର ନିମନ୍ତେ ଏକ ନିରାପଦ ପଥ ସୃଷ୍ଟି ପାଇଁ କିଛି ସମୟ ଯୁଦ୍ଧବିରତି କରିବାକୁ ଉଭୟ ରୁଷ ଓ ୟୁକ୍ରେନ ସରକାରଙ୍କ ସହ ବିଭିନ୍ନ ସ୍ତରରେ କଥାବାର୍ତ୍ତା ଚାଲିଛି । ସେପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଆଶ୍ରୟ ସ୍ଥାନରେ ରହିବା ସହ ଅନାବଶ୍ୟକ ବିପଦ ବରଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରାଳୟ ଓ ଦୂତାବାସଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ରୁଷ ପକ୍ଷରୁ କିଛି ସମୟପାଇଁ ଯୁଦ୍ଧ ବିରତି ପାଳନ କରାଯାଉଛି । ଯୁଦ୍ଧବିଧ୍ବସ୍ତ ସହରଗୁଡ଼ିକରୁ ସାଧାରଣ ଲୋକମାନଙ୍କୁ ଉଦ୍ଧାର କରିବାକୁ ଏହ ଯୁଦ୍ଧବିରତି ପାଳନ କରାଯାଉଛି । ଏ ନେଇ ୨ୟ ପର୍ଯ୍ୟାୟ କଥାବାର୍ତ୍ତା ବେଳେ ଉଭୟ ରୁଷ ଓ ୟୁକ୍ରେନ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର