କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧରେ ବିଦେଶୀ ସେଲିବ୍ରିଟି ଦେଉଥିବା ମନ୍ତବ୍ୟ ତ୍ରୁଟିଯୁକ୍ତ ଏବଂ ଦାୟିତ୍ୱହୀନ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ
ନୂଆଦିଲ୍ଲୀ: କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧରେ ବିଦେଶୀ ସେଲିବ୍ରିଟିମାନେ ଦେଉଥିବା ମନ୍ତବ୍ୟ ତ୍ରୁଟିଯୁକ୍ତ ଏବଂ ଅପରିଣାମଦର୍ଶୀ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି ମନ୍ତ୍ରାଳୟ ଅନୁରୋଧ କରିଛି ଯେ, ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ପୂର୍ବରୁ ବାସ୍ତବ ଘଟଣା ଜାଣିବା ସହ ସମସ୍ୟାକୁ ଠିକ୍ ରୂପେ ବୁଝିବା ଆବଶ୍ୟକ।
ଏହି ବିବୃତିରେ ଉଲ୍ଲେଖ ଅଛି, ବିଶେଷକରି, ସେଲିବ୍ରିଟି ଓ ଅନ୍ୟମାନେ ଦେଉଥିବା ଉତ୍ତେଜକ ଓ ସ୍ପର୍ଶକାତର ସାମାଜିକ ଗଣମାଧ୍ୟମ ହାସ୍ଟ୍ୟାଗ୍ ସବୁ ଠିକ୍ ନୁହେଁ କି, ଦାୟିତ୍ୱଯୁକ୍ତ ନୁହେଁ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଗୁରୁତ୍ୱାରୋପ କରି କହିଛି ଯେ, କୃଷିସମ୍ପ୍ରଦାୟର ଏକ କ୍ଷୁଦ୍ର ଅଂଶ କୃଷି ଆଇନକୁ ବିରୋଧ କରୁଛି। ପ୍ରତିବାଦକାରୀ କୃଷକମାନଙ୍କୁ ବୁଝାଶୁଝା କରିବା ଲାଗି ସରକାର ନିଜର ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି।
ଏହି ଅଚଳାବସ୍ଥା ଦୂର କରିବା ଲାଗି କେନ୍ଦ୍ର ସରକାର କୃଷକ ସଂଗଠନର ପ୍ରତିନିଧିମାନଙ୍କ ସହ ୧୧ ଥର ବୈଠକ କରିଛନ୍ତି ଏବଂ ୧ ବର୍ଷରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏହି ଆଇନକୁ ପ୍ରଣୟନ କରିବାକୁ ମଧ୍ୟ ରାଜି ହୋଇଛନ୍ତି।
ପପ୍ଷ୍ଟାର୍ ରିୟାନାଙ୍କ ଠାରୁ ଆରମ୍ଭ କରି ପର୍ଣ୍ଣଷ୍ଟାର୍ ମିଆ ଖଲିଫାଙ୍କ ପର୍ଯ୍ୟନ୍ତ ବିଦେଶୀ ସେଲିବ୍ରିଟିମାନେ ଦେଶରେ ଚାଲଥିବା କୃଷକ ପ୍ରତିବାଦକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏଭଳି ବିବୃତି ଜାରି କରିଛି।