ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଲାଗି ରହିଛି । ଏପରି ସ୍ଥିତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଗୁରୁବାର କହିଛନ୍ତି ଯେ, ଭାରତରେ କାନାଡାର ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ ଅଛନ୍ତି। ସେମାନେ ମଧ୍ୟ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଭାରତରେ କାନାଡାର କୂଟନୈତିକ ଉପସ୍ଥିତିରେ ସମତୁଲତା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି।

Advertisment

ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଗତ ସେପ୍ଟେମ୍ବର ୨୧ତାରିଖରେ ଭାରତ କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରିବାକୁ କାନାଡାକୁ କହିଥିଲା।

ଗତ ମାସରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜାରଙ୍କ ହତ୍ୟାକାଣ୍ଡରେ ଜଣେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥାଇପାରନ୍ତି ବୋଲି ଦାବି କରିଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା। ଏହି ଅଭିଯୋଗ ପରେ କାନାଡାର ଭାରତର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲା ।

ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରଙ୍କୁ ଜୁନ୍ ମାସରେ ହତ୍ୟା କରାଯାଇଥିଲା। ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରି କହିଛି ଯେ ଏହା ମିଛ । ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଖାଲିସ୍ତାନୀ ସମର୍ଥକଙ୍କ ପାଇଁ କାନାଡା ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି ।