ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ଉପରେ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ବୈଦେଶିକ ବ୍ୟାପାର ସଂପର୍କିତ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟମାନଙ୍କୁ ଅପରେସନ ସିନ୍ଦୁର ସଂପର୍କିତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ 'ଅପରେସନ ସିନ୍ଦୁର' ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବିବୃତ୍ତିକୁ 'ଭୁଲ ସନ୍ଦର୍ଭ'ରେ ନିଆଯାଇଛି। ସେ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଅପରେସନ ସିନ୍ଦୂର ଏବଂ ଏହାର ସଫଳତା ବିଷୟରେ ସୂଚନା ଦେଇଥିଲେ।
ସୂତ୍ର ଅନୁଯାୟୀ, ବୈଠକ ସମୟରେ, ଜଣେ ସଦସ୍ୟ 'ଅପରେସନ୍ ସିନ୍ଦୂର' ଉପରେ ଜୟଶଙ୍କରଙ୍କ ମିଡିଆ ବିବୃତ୍ତିର କ୍ଲିପ୍ ଉପରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ରାହୁଲ ଅଭିଯୋଗ କରିଥିଲେ ଯେ ଭାରତ ସରକାର ପ୍ରକୃତ ଆକ୍ରମଣ ପୂର୍ବରୁ ଭାରତର ପ୍ରତିଶୋଧମୂଳକ ଆକ୍ରମଣ ବିଷୟରେ ପାକିସ୍ତାନକୁ ସୂଚନା ଦେଇଥିଲେ। ଏହାର ଜବାବରେ ମିସ୍ରି କହିଥିଲେ ଯେ ଜୟଶଙ୍କରଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଇଥିଲା । ସତ କଥା ହେଉଛି ଯେ ଭାରତ ଆକ୍ରମଣ ଆରମ୍ଭ ହେବାର ତୁରନ୍ତ ପରେ ପାକିସ୍ତାନକୁ ଏହାର ସଠିକ୍ ସ୍ଥାନ ବିଷୟରେ ଜଣାଇ ଦେଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ହାତ ନାହିଁ ।
ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବଙ୍କ ଉତ୍ତରରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ସନ୍ତୁଷ୍ଟ ହୋଇଥିଲା ଓ ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଟାର୍ଗେଟ କରିବାକୁ ନିନ୍ଦା କରାଯାଇଥିଲା ।