ନୂଆଦିଲ୍ଲୀ : ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଧମକ ପରେ ତାହାର ଜବାବ ଦେଇଛନ୍ତି ଭାରତ ସରକାର । ଭାରତ କହିଛି ଯେ ଆମେରିକା ଓ ୟୁରୋପୀୟ ସଂଘ ନିଜେ ରୁଷରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରୁଥିବାବେଳେ ଭାରତକୁ ଦାୟୀ କରିବା ହାସ୍ୟାସ୍ପଦ କଥା ।
ଭାରତର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ତୈଳର ପାରମ୍ପରିକ ଯୋଗାଣଗୁଡ଼ିକ ୟୁରୋପ ଆଡ଼କୁ ଚାଲିଯାଇଥିଲା । ଏହା ପରେ ଭାରତ ବାଧ୍ୟ ହୋଇ ରୁଷରୁ ଆମଦାନୀ କରିଥିଲା । ବିଶ୍ବ ତୈଳ ବଜାରରେ ଭାରସାମ୍ୟ ରକ୍ଷା କରିବାକୁ ଭାରତର ଏହି ପଦକ୍ଷେପକୁ ସେତେବେଳେ ଆମେରିକା ମଧ୍ୟ ସମର୍ଥନ କରୁଥିଲା । ଭାରତ ନିଜ ଦେଶର ଗ୍ରାହକଙ୍କ ସ୍ବାର୍ଥରକ୍ଷା ପାଇଁ ରୁଷରୁ ଆମଦାନୀ କରୁଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଯେଉଁମାନେ ଭାରତକୁ ସମାଲୋଚନା କରୁଛନ୍ତି ସେମାନେ ନିଜେ ରୁଷରୁ କେବଳ ତୈଳ ନୁହେଁ ଅନ୍ୟ ସାମଗ୍ରୀ ଆମଦାନୀ କରୁଛନ୍ତି । ଆମେରିକା ମଧ୍ୟ ରୁଷରୁ ୟୁରାନିୟମ, ସାର ପାଲାଡିୟମ ଆଦି ଆମଦାନୀ କରୁଛି । ଏପରି ସ୍ଥିତିରେ କେବଳ ଭାରତକୁ ସମାଲୋଚନା କରିବା ନ୍ୟାୟସଙ୍ଗତ ନୁହେଁ ।