ଗଲଓ୍ଵାନ ଘାଟି ସଂପର୍କରେ ଭାରତର ସ୍ଥିତି ସ୍ପଷ୍ଟ, ପ୍ରକୃତ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନର ଦାବି ଗ୍ରହଣୀୟ ନୁହେଁ : ଭାରତ

ନୂଆଦିଲ୍ଲୀ : ଲଦାଖରେ ଥିବା ଗଲଓ୍ଵାନ ଘାଟି ସଂପର୍କରେ ଭାରତର ସ୍ଥିତି ଐତିହାସିକଭାବେ ସ୍ପଷ୍ଟ ରହିଆସିଛି । ପ୍ରକୃତ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନ ପକ୍ଷରୁ ଏବେ କରାଯାଉଥିବା ଅଯୌକ୍ତିକ ଦାବି ଗ୍ରହଣୀୟ ନୁହେଁ ବୋଲି ଭାରତ କହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତୀୟ ସେନା ସବୁବେଳେ ଏଲଏସି ସଂପର୍କରେ ସଚେତନ ରହି ଆସିଛନ୍ତି ଓ ସେହି ଅନୁସାରେ କାର୍ଯ୍ୟକରନ୍ତି । ଏଲଏସି ଟପି ଭାରତୀୟ ସେନା କେବେ କୌଣସି କାମ କରନ୍ତି ନାହିଁ । କିନ୍ତୁ ଗତ ମେ’ ପ୍ରାରମ୍ଭରୁ ଚୀନ ସେନା ପକ୍ଷରୁ ଭାରତୀୟ ସୈନ୍ୟଙ୍କ ସ୍ୱାଭାବିକ ପାଟ୍ରୋଲିଂ ପ୍ରକ୍ରିୟାକୁ ପ୍ରତିରୋଧ କରିଆସୁଛନ୍ତି । ଏହା ଫଳରେ ଦୁଇପକ୍ଷ ମଧ୍ୟରେ ନିୟମିତଭାବେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏହି ଉତ୍ତେଜନାକୁ ହ୍ରାସ କରିବାକୁ ଜୁନ ୬ରେ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଉତ୍ତେଜନା ହ୍ରାସ ସହ ଏଲଏସିକୁ ସମ୍ମାନ ଜଣାଇବାକୁ ଦୁଇପକ୍ଷ ରାଜି ହୋଇଥିଲେ ।

କିନ୍ତୁ ଏହି ବୁଝାମଣାକୁ ନମାନି ଚୀନ ସେନା ଜୁନ ୧୫ ତାରିଖରେ ନିୟନ୍ତ୍ରଣ ରେଖାକୁ ବଦଳାଇବାକୁ ଚେଷ୍ଟା କରିଥିଲା । ଏହାକୁ ଭାରତୀୟ ସେନା ବିରୋଧ କରିବା ପରେ ଉତ୍ତେଜନା ଓ ହିଂସାତ୍ମକ ସଂଘର୍ଷ ହୋଇଥିଲା ବୋଲି ମନ୍ତ୍ରାଳୟ କହିଛି । ଏହାପରେ ଜୁନ ୧୭ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ କଥା ହୋଇ ଉତ୍ତେଜନାକୁ କମାଇବାକୁ ରାଜି ହୋଇଥିଲେ । ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ଏହି ବୁଝାମଣାକୁ ସମ୍ମାନ ଜଣାଉ ବୋଲି ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର