‘ଧାରା ୩୭୦ର ପ୍ରତ୍ୟାହାର ପରେ କଶ୍ମୀରରେ ସେନା ପକ୍ଷରୁ ଗୋଟିଏ ବି ଗୁଳି ଫୁଟି ନଥିବା ବେଳେ ପାକିସ୍ତାନର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ’: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘରେ ଭାରତ ବିରୋଧରେ ପାକିସ୍ତାନର ମାନବାଧିକାର ମନ୍ତ୍ରାଳୟ ପକ୍ଷରୁ ଆଗତ କରା ଯାଇଥିବା ଅଭିଯୋଗକୁ ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୃଢ଼ ଭାବରେ ଖଣ୍ଡନ କରିଯିବା ସହ ଏହାକୁ ସଂପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ମାନବାଧିକାର ମନ୍ତ୍ରୀ ସିରିନ୍‌ ମଜାରୀ ମିଳିତ ଜାତିସଂଘକୁ ପଠାଇଥିବା ଏକ ଦୀର୍ଘ ପତ୍ରରେ ଭାରତ ବିରୋଧରେ ଅଭିଯୋଗ କରି କହିଥିଲେ ଯେ କଶ୍ମୀର ଉପତ୍ୟକାରେ ଭାରତୀୟ ସେନା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେଠାରେ ମାନବାଧିକାରର ହନନ କରୁଛି।

Kashmir Times

ତେବେ, ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଭିସ୍‌ କୁମାର ପାକିସ୍ତାନର ଏ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ପରେ ସେଠାରେ କୌଣସି ଗୋଟିଏ ହେଲେ ବି ଧନ ଜୀବନର ହାନୀ ଘଟିନାହିଁ। ଏଥିସହ ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ଭାରତର ‘ଆଭ୍ୟନ୍ତରୀଣ ବ୍ୟାପାର’ ହୋଇଥିବା ବେଳେ ପାକିସ୍ତାନ ମିଳିତ ଜାତିସଂଘରେ ଭାରତକୁ ନିନ୍ଦିତ କରାଇବା ଉଦ୍ଦେଶ୍ୟରେ କଶ୍ମୀର ପ୍ରସଙ୍ଗରେ ଯେଉଁ ମିଥ୍ୟା ଅପପ୍ରଚାର ଓ ହୀନ ପ୍ରଚେଷ୍ଟା ଚଳାଇଛି, ତାହାର ମଧ୍ୟ ତୀବ୍ର ବିରୋଧ କରିଛନ୍ତି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଭିସ୍‌ କୁମାର।

ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ପରେ ସେଠାରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ରହିଥିବା ଏବଂ ସେନା ପକ୍ଷରୁ ଗୋଟିଏ ବି ଗୁଳି ଫୁଟି ନଥିବା ବେଳେ ସେଠାରେ ସେନା ପକ୍ଷରୁ ମାନବାଧିକାରର ହନନ ହେଉଛି ବୋଲି ପାକିସ୍ତାନ ପକ୍ଷରୁ ମିଳିତ ଜାତିସଂଘରେ ଭାରତ ବିରୋଧରେ ଯେପରି ଅଭିଯୋଗ ଆଗତ କରାଯାଇଛି, ତାହା ପାକିସ୍ତାନର ଦାୟିତ୍ୱ ହୀନତା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି। ଏଥିସହ ଭାରତର ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ଭାରତ ସହ ପଡ଼ୋଶୀ ସୁଲଭ ଆଚରଣ ପ୍ରଦର୍ଶନ କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର