ହିମାଳୟ ପାର୍ବତ୍ୟ ଅଞ୍ଚଳ ପାଇଁ ଭାରତୀୟ ସେନାରେ ସାମିଲ ହେବ ଏହି ଯୁଦ୍ଧଯାନ 

ନୂଆଦିଲ୍ଲୀ : ସୀମାରେ ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ବିଶେଷକରି ଚୀନକୁ ଲାଗିଥିବା ହିମାଳୟ ପାର୍ବତ୍ୟାଞ୍ଚଳରେ ଚୀନ ପଟୁ ସର୍ବାଧିକ ବିପଦ ଥିବାରୁ ଉକ୍ତ ପରିବେଶ ଅନୁସାରେ ଯୁଦ୍ଧଯାନ ଓ ଉପକରଣ ସାମିଲ କରୁଛି ଭାରତ ।

ଏପରି ଏକ ଉପକରଣ ହେଉଛି ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ  ଅର୍ଡିନାନ୍ସ ଫାକ୍ଟ୍ରି ବୋର୍ଡ ଦ୍ୱାରା ପ୍ରସ୍ତୁତ ଇନଫାଣ୍ଟ୍ରି କମ୍ବାଟ ଭେହିକ୍ଲ (ଆଇସିଭି) । ଆଇସିଭି ଗୁଡ଼ିକ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ତୁଳନା ହାଲକା ଓ ଉଚ୍ଚ ପାର୍ବତ୍ୟ ଅଞ୍ଚଳକୁ ଏହାକୁ ନେଇହେବ ।  ଏଣୁ ଏଗୁଡ଼ିକୁ ମିନି ଟ୍ୟାଙ୍କ ବୋଲି ମଧ୍ୟ କୁହାଯାଏ । ମୋଟ ୧୫୬ଟି  ଆଇସିଭି ଯୋଗାଣ ପାଇଁ ଭାରତୀୟ ସେନା  ଅର୍ଡିନାନ୍ସ ଫାକ୍ଟ୍ରି ବୋର୍ଡକୁ ଅର୍ଡର ଦେଇଛି । ଏସବୁ  ମିନି ଟ୍ୟାଙ୍କ ଗୁଡ଼ିକ  ଅର୍ଡିନାନ୍ସ ଫାକ୍ଟ୍ରି ବୋର୍ଡର ତେଲେଙ୍ଗାନାର ମେଡକସ୍ଥିତ କାରଖାନାରେ ଉତ୍ପାଦନ କରାଯାଉଛି । ଆସନ୍ତା ବର୍ଷ ସୁଦ୍ଧା ଏଗୁଡ଼ିକର ଯୋଗାଣ ସଂପୂର୍ଣ୍ଣ ହେବ । ଏବେ  ଅର୍ଡିନାନ୍ସ ଫାକ୍ଟ୍ରି ବୋର୍ଡ  ପକ୍ଷରୁ ରାତିରେ କାର୍ଯ୍ୟକରିପାରୁଥିବା ଆଇସିଭିର ବିକାଶ କରାଯାଉଛି । ଏଥିରେ ଶକ୍ତିଶାଳୀ ମେସିନଗନ ଲାଗିବା ସହ ଛୋଟ ମିସାଇଲ ମଧ୍ୟ ନିକ୍ଷେପ କରିହେବ ।

ଏସବୁ ମିନି ଟ୍ୟାଙ୍କଗୁଡ଼ିକୁ ଭାରତୀୟ ସେନା ଚୀନକୁ ଲାଗିଥିବା ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମୁତୟନ କରିବାର ସମ୍ଭାବନା ରହିଛି । ଏଗୁଡ଼ିକୁ ଆମେରିକା ନିର୍ମିତ ଚିନୁକ ହେଲିକପ୍ଟର ମାଧ୍ୟମରେ ସହଜରେ ପର୍ବତ ଉପରକୁ ନେଇ ମୁତୟନ କରିହେବ । ଏହା ଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର