ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୋମବାର କହିଛନ୍ତି ଯେ, ଦେଶରେ ବ୍ୟାପିଥିବା କରୋନାଭାଇରସର କଠିନ ସମୟରେ ସମାଜର ସେବା କରୁଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା। ଏ ନେଇ ସେମାନଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବା ଉଚିତ। ଜାଭେଦକର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ପରିମଳ କର୍ମଚାରୀଙ୍କ ସହ ତୁଳନା କରିଛନ୍ତି। ଏହା ସହ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ପରିମଳ କର୍ମଚାରୀଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଆଗ ଧାଡିରେ ରହି କାମ କରୁଥିବା କହିଛନ୍ତି | କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଦିଲ୍ଲୀର ଶାସ୍ତ୍ରୀ ଭବନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ କରିବା ସମୟରେ ଏଭଳି ମନ୍ତବ୍ୟ ଦେଇଥିବା ଜଣା ପଡିଛି |
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀ ବୋଲି ଦର୍ଶାଇ ଜାଭେଦକର କହିଛନ୍ତି ଯେ, ଡାକ୍ତର, ନର୍ସ, ପୁଲିସ କର୍ମଚାରୀ, ପରିମଳ କର୍ମଚାରୀ ଇତ୍ୟାଦି ଫ୍ରଣ୍ଟଲାଇନ କର୍ମଚାରୀ, ସେହିଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଫ୍ରଣ୍ଟଲାଇନ କର୍ମଚାରୀ ଅଟନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ନିଜର କାମ ସୁଚାରରୂପେ କରିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଛନ୍ତି |
#WATCH Union Minister Prakash Javadekar seen holding a meeting with officials of Information and Broadcasting Ministry, at Shastri Bhawan, Delhi pic.twitter.com/QYAClWinjT
— ANI (@ANI) April 13, 2020
ସୂଚନା ମୁତାବକ, ସୋମବାର ଦିନ ଭାରତରେ କରୋନାଭାଇରସର ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୯,୧୫୨ରେ ପହଞ୍ଚିଛି ଏବଂ ଗତ ୨୪ଘଣ୍ଟା ମଧ୍ୟରେ ୭୯୬ଟି ନୂଆ ମାମଲା ଏବଂ ୩୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗତ ୨୪ଘଣ୍ଟା ମଧ୍ୟରେ କୋଭିଡ-୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦୮କୁ ବୃଦ୍ଧି ପାଇଛି | ମୋଟ ଗଣନା ମଧ୍ୟରୁ ୭,୯୮୭ସକ୍ରିୟ ମାମଲା ହୋଇଥିବାବେଳେ ୮୫୬ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।