ପିପିଲି, ୨/୮(ଇମିସ): ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ଟୋଲ୍‌ପ୍ଲାଜା ନିକଟ ପିପିଲି ସହର ପ୍ରବେଶ ପଥଠାରୁ ନୂଆଶାସନ ଗ୍ରାମଛକ ପର୍ଯ୍ୟନ୍ତ ରାଜପଥ ମଝିରେ ଥିବା ମେଡିଆନରେ ଗଛଲତା ମାଡ଼ିଯାଇ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଗାଡ଼ି ଚାଳକ ଓ ରାସ୍ତା ପାରି ହେଉଥିବା ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ ସଫା କରିବା ଦିଗରେ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଦୌ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି। ବିଶେଷ କରି ସାଇକେଲ, ବାଇକ୍‌ ଆରୋହୀ ଓ ପଥଚାରୀଙ୍କ ଜୀପନ ପ୍ରତି ବିପଦ ସୃଷ୍ଟି କରୁଛି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିଭାଗୀୟ ଅବହେଳା ଲୋକଙ୍କ ଚିନ୍ତାକୁ ବଢ଼ାଇଦେଇଛି।

Advertisment

ଫୋରଲେନିଂ ରାସ୍ତାର ମଧ୍ୟଭାଗରେ ଗଛ ଲଗାଯାଇଛି। ରାସ୍ତା ବ୍ୟବହାରକାରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବା ଏହାର ଉଦ୍ଦେଶ୍ୟ ରହିଥିଲା। ଗଛଗୁଡ଼ିକର ନିର୍ଦ୍ଦିଷ୍ଟ ଉଚ୍ଚତା ନିର୍ଦ୍ଧାରଣ ସହିତ ନିୟମିତ ବ୍ୟବଧାନରେ ଏହାକୁ କଟାଯାଇଥାଏ। କିନ୍ତୁ କିଛିମାସ ହେଲା ଗଛ କଟାଯାଉନାହିଁ। ଫଳରେ ଗଛଗୁଡ଼ିକ ବଢ଼ିଯାଇ ଜଙ୍ଗଲ ସଦୃଶ ଦେଖାଦେଉଥିବା ବେଳେ ସେଠାରେ ଚରୁଥିବା ଗୋରୁ ହଠାତ୍‌ ରାସ୍ତା ଉପରକୁ ଚାଲିଆସୁଥିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ି ଓ ଯାତ୍ରୀ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିଭଳି ବୁଲା କୁକୁର ମଧ୍ୟ ରାସ୍ତା ଉପରକୁ ଚାଲିଆସି ଅନୁରୂପ ଅବସ୍ଥା ସୃଷ୍ଟି କରୁଛନ୍ତି। ରାସ୍ତା ଅତିକ୍ରମ କରିବାକୁ ଉଦ୍ୟତ ହେଉଥିବା ଗାଈଗୋରୁ, କୁକୁରଙ୍କୁ ଗାଡ଼ିଚାଳକ ଦେଖିପାରୁନଥିବାରୁ ଦୁର୍ଘଟଣା ଘଟୁଛି। ରାଜପଥର କେତେକ ସ୍ଥାନରେ ଗଛଗୁଡ଼ିକ ଏପରି ଭାବେ ବଢ଼ିଯାଇଛି ଯେ, ଗଛର ଡାଳରେ ମେଡିଆନ୍‌ ସଙ୍କେତ ଅର୍ଥାତ୍‌ ରାଜପଥ ପାର୍ଶ୍ବସ୍ଥ ଧଳାଗାର ଲୁଚିଯାଉଛି। ଫଳରେ ଜାତୀୟ ରାଜପଥ ସଂକୁଚିତ ହେବା ସହ ଗାଡ଼ିମୋଟର ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ରାଜପଥର ବିଭିନ୍ନ ସ୍ଥାନରେ ଥିବା ଅବୈଧ କଟ୍‌ରେ ପାରି ହେଉଥିବା ସାଇକେଲ, ବାଇକ୍‌ ଚାଳକଙ୍କ ପାଇଁ ମଧ୍ୟ ରାଜପଥର ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି। ବିଭିନ୍ନ ସମୟରେ ଏ ନେଇ ଅଭିଯୋଗ ହେବା ସହ ବିଭାଗ ସମାଲୋଚିତ ହେଉଛି। କିନ୍ତୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଇ କୃତ୍ରିମ ଜଙ୍ଗଲ ସଫା କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।