ରୋଗୀଙ୍କ ହାତରୁ ଚିକିତ୍ସା ଖର୍ଚ୍ଚ କମୁଛି: ୧୦୦ ଟଙ୍କା ଖର୍ଚ୍ଚରେ ଲୋକେ ଗଣୁଛନ୍ତି ୪୮ ଟଙ୍କା

ନୂଆଦିଲ୍ଲୀ: ଚିକିତ୍ସାରେ ‌ରୋଗୀମାନେ ନିଜ ହାତରୁ କରୁଥିବା ଖର୍ଚ୍ଚରେ ହ୍ରାସ ଘଟିଛି। ଏବେ ଚିକିତ୍ସା ବାବଦରେ ଖର୍ଚ୍ଚ ହେଉଥିବା ପ୍ରତି ୧୦୦ ଟଙ୍କାରୁ ୪୮ ଟଙ୍କା ୨୦ ପଇସା ଲୋକମାନେ ନିଜ ହାତରୁ ଗଣୁଛନ୍ତି। ପନ୍ଦର ବର୍ଷ ପୂର୍ବେ କିନ୍ତୁ ସ୍ଥିତି ଭିନ୍ନ ଥିଲା। ଲୋକମାନଙ୍କୁ ନିଜ ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ୁଥିଲା। ଭାରତର ଜାତୀୟ ସ୍ବାସ୍ଥ୍ୟ ଖାତା ଆକଳନ ଅନୁଯାୟୀ ୨୦୧୮-୧୯ରେ ଭାରତୀୟମାନେ ସ୍ବାସ୍ଥ୍ୟ ପାଇଁ ୫.୯ ଲକ୍ଷ କୋଟି ଟଙ୍କା‌ ବ୍ୟୟ କରିଛନ୍ତି। ଡାକ୍ତରଖାତାରେ ରହଣୀଠାରୁ ଆରମ୍ଭ କରି ଔଷଧ କିଣା ପର୍ଯ୍ୟନ୍ତ ଏବଂ ଡାକ୍ତରଖାତା ନିର୍ମାଣଠାରୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ କିଣାକିଣି ଆଦିରେ ଏହି ଖର୍ଚ୍ଚ ହୋଇଛି। ମୋଟ ସ୍ବାସ୍ଥ୍ୟ ଖର୍ଚ୍ଚରୁ ୪୮.୨ ପ୍ରତିଶତ ରାଶି ଲୋକମାନେ ପକେଟ୍‌ରୁ ଦେଇଛନ୍ତି। ୨୦୦୪-୦୫ରେ ଏହି ହାର ୬୯.୪ ପ୍ରତିଶତ ଥିଲା। ୨୦୧୩-୧୪ରେ ତାହା ୬୪.୨ ପ୍ରତିଶତକୁ ହ୍ରାସ ପାଇଥିଲା।

ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶରେ ଲୋକମାନେ ଚିକିତ୍ସା ପାଇଁ ସର୍ବାଧିକ ୭୧.୩ ପ୍ରତିଶତ ଟଙ୍କା ନିଜ ହାତରୁ ଖର୍ଚ୍ଚ କରୁଛନ୍ତି। ପଶ୍ଚିମବଙ୍ଗରେ ଏହି ହାର ୬୮.୭ ପ୍ରତିଶତ, କେରଳରେ ୬୮.୬ ପ୍ରତିଶତ, ଓଡ଼ିଶାରେ ୫୩.୨ ପ୍ରତିଶତ, ପଞ୍ଜାବରେ ୬୫.୫ ପ୍ରତିଶତ, ଝାଡ଼ଖଣ୍ଡରେ ୬୩.୯ ପ୍ରତିଶତ ଓ ବିହାରରେ ୫୩.୫ ପ୍ରତିଶତ ରହିଛି। ଏହି ହାର କର୍ଣ୍ଣାଟକରେ ସବୁଠୁ କମ୍ ୩୩.୩ ପ୍ରତିଶତ ରହିଛି। ଦେଶରେ ମୁଣ୍ଡପିଛା ସ୍ବାସ୍ଥ୍ୟ ଖର୍ଚ୍ଚ ୨୦୧୮-୧୯ ସୁଦ୍ଧା ୩,୩୧୪ ଟଙ୍କାକୁ ବୃଦ୍ଧି ପାଇଛି। ୨୦୦୪-୦୫ରେ ତାହା ୨,୦୬୬ ଟଙ୍କା ଥିଲା। ସରକାର ପ୍ରଦାନ କରିଥିବା ସ୍ବାସ୍ଥ୍ୟ ବୀମାରେ ବ୍ୟୟ ୧୬୭ ପ୍ରତିାତ ବୃଦ୍ଧି ପାଇଛି। ସରକାରୀ ବୀମା ସ୍କିମ୍‌ରେ ୨୦୧୮-୧୯ରେ ୧୨,୬୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୩-୧୪ ବେଳକୁ ଏହି ସ୍କିମ୍‌ରେ ୪,୭୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆୟୁଷ୍ମାନ ଭାରତ ଯୋଜନାରେ ଅଧିକ ବ୍ୟୟ ହୋଇଛି।

ସମ୍ବନ୍ଧିତ ଖବର