କୋଲକାତା: କୋଲକାତାର ଆର୍ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପଚରାଉଚରା ବେଳେ ଅପରାଧ ସ୍ୱୀକାର କରିଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟ ସେହି ରାତିରେ ସହରର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳ ବୁଲିଥିଲେ ମଧ୍ୟ ଶାରୀରିକ ସମ୍ପର୍କ ରଖି ନ ଥିଲା। କିନ୍ତୁ ସେ ରାସ୍ତାରେ ଜଣେ ବାଳିକାଙ୍କୁ ଅସଦାଚରଣ କରିଥିଲା, ଯାହା ସର୍ଭେଲାନ୍ସ କ୍ୟାମେରାରେ କଏଦ ହୋଇଥିଲା। ଏହାବ୍ୟତୀତ ରାୟ ପ୍ରକାଶ କରିଛି ଯେ ସେ ତା’ ଗାର୍ଲଫ୍ରେଣ୍ଡ ସହ ଭିଡିଓ କଲ୍ କରି ତାଙ୍କୁ ନଗ୍ନ ଫଟୋ ମାଗିଥିଲା।
ସୂଚନା ଅନୁଯାୟୀ, ଅଗଷ୍ଟ ୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଙ୍ଗର ଭାଇକୁ ଦେଖିବା ପାଇଁ ରାୟ ତା’ ସାଙ୍ଗ ସହ ଆର୍ଜି କର ହସ୍ପିଟାଲରେ ପହଞ୍ଚିଥିଲା। ରାତି ୧୧ଟା ୧୫ରେ ରାୟ ଓ ତା’ ସାଙ୍ଗ ଡାକ୍ତରଖାନା ଛାଡି ମଦ ପିଇବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ରାସ୍ତାରେ ମଦ କିଣି ପିଇଥିଲେ। ସେମାନେ ଉତ୍ତର କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳ ସୋନାଗାଛି ବୁଲିବାକୁ ନିଷ୍ପତ୍ତି ନେଇଥିଲେ। ସୋନାଗାଛିରେ ବିଫଳ ହେବାପରେ ସେମାନେ ଦକ୍ଷିଣ କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳ ଚେତଲା ଯିବାକୁ ନିଷ୍ପତ୍ତି ନେଇଥିଲେ। ଚେତଲା ଯାଉଥିବା ବେଳେ ସେମାନେ ରାସ୍ତାରେ ଜଣେ ବାଳିକାଙ୍କୁ ଅସଦାଚରଣ କରିଥିଲେ।
ଚେତଲାରେ ରାୟର ସାଙ୍ଗ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ରାୟ ବାହାରେ ଛିଡ଼ା ହୋଇ ଭିଡିଓ କଲ୍ରେ ତା’ ଗାର୍ଲଫ୍ରେଣ୍ଡଙ୍କ ସହ କଥା ହୋଇଥିଲା। ରାୟ ତା’ର ଗର୍ଲଫ୍ରେଣ୍ଡକୁ ନଗ୍ନ ଫଟୋ ମାଗିଥିଲା, ଯାହାକୁ ସେ ପଠାଇଥିଲା। ରାୟ ଓ ତା’ ସାଙ୍ଗ ଡାକ୍ତରଖାନାକୁ ଫେରିଥିଲେ। ରାୟ ଚତୁର୍ଥ ମହଲାରେ ଥିବା ଟ୍ରମା ସେଣ୍ଟରକୁ ଯାଇଥିଲା। ଭୋର ୪ଟା ୩ ମିନିଟରେ ରାୟ ତୃତୀୟ ମହଲାରେ ଥିବା ସେମିନାର ହଲ୍ ନିକଟ କରିଡରକୁ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ପୀଡ଼ିତା ଶୋଇଥିବା ସେମିନାର ହଲ୍ ଭିତରକୁ ପଶି ତାଙ୍କ ଗଳା ଚିପିଥିଲା। ରାୟ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେବା ପରେ ଘଟଣାସ୍ଥଳ ଛାଡ଼ି କୋଲକାତା ପୁଲିସ ଅଧିକାରୀ ବନ୍ଧୁ ଅନୁପମ ଦତ୍ତଙ୍କ ଘରକୁ ଯାଇଥିଲା।
ସିବିଆଇ ସୂତ୍ରରୁ ପ୍ରକାଶ ଯେ ସମସ୍ତ ସ୍ଥାନରେ ରାୟ ଓ ତା’ ସାଙ୍ଗର ଉପସ୍ଥିତି ସେମାନଙ୍କ କଲ୍ ଡାଟା ରେକର୍ଡ (ସିଡିଆର୍) ଦ୍ବାରା ପ୍ରମାଣିତ ହୋଇଛି। ସୂଚନା ଅନୁଯାୟୀ ସଞ୍ଜୟ ରାୟର ମୋବାଇଲ୍ ଫୋନରେ ଭାଇଭଉଣୀଙ୍କ ମଧ୍ୟରେ ଯୌନକ୍ରିୟାକୁ ଦର୍ଶାଉଥିବା ଅଶ୍ଳୀଳ ଭିଡିଓ ସମେତ ବହୁ ପରିମାଣର ଅଶ୍ଳୀଳ ବିଷୟବସ୍ତୁ ମିଳିଥିଲା। ରବିବାର ତା’ର ମିଛ ଧରା ପରୀକ୍ଷା ମଧ୍ୟ କରାଯାଇଥିଲା। ଆର୍ଜି କର ମେଡିକାଲ କଲେଜର ସେମିନାର ହଲରୁ ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ ଅଗଷ୍ଟ ୧୦ରେ କୋଲକାତା ପୁଲିସ ରାୟକୁ ଗିରଫ କରିଥିଲା।
ଡାକ୍ତରଙ୍କ ଘରେ ସିବିଆଇର ୧୧ଘଣ୍ଟା ଚଢ଼ଉ
କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଅଧିକାରୀମାନେ ୧୧ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଆଜି ସନ୍ଧ୍ୟାରେ ଅନେକ କାଗଜପତ୍ର ପାଇଥିଲେ। ଗତ ୯ ତାରିଖରେ ହସ୍ପିଟାଲରେ ଜଣେ ଯୁବ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ଏଜେନ୍ସିକୁ ପୂର୍ବତନ ପ୍ରିନ୍ସିପାଲଙ୍କ ସମୟରେ ଅନୁଷ୍ଠାନରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେମାନେ କୌଣସି ଠୋସ୍ ପ୍ରମାଣ ପାଇଛନ୍ତି କି ବୋଲି ପଚରାଯିବାରୁ ସିବିଆଇର ଜଣେ ଅଧିକାରୀ ବାହାରକୁ ବାହାରିବା ବେଳେ କହିଥିଲେ, ବହୁତ କିଛି ଅଛି।
ଆଜି କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପୂର୍ବତନ ମେଡିକାଲ ଅଧୀକ୍ଷକ ସଞ୍ଜୟ ବଶିଷ୍ଠ ଏବଂ ଅନ୍ୟ ୧୩ ଜଣଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ସିବିଆଇର ଦୁର୍ନୀତି ନିବାରଣ ୟୁନିଟ୍ ରୋଗୀଙ୍କ ପରିଚାଳନା ଓ ଯତ୍ନ ପାଇଁ ସାମଗ୍ରୀ ଯୋଗାଣରେ ନିୟୋଜିତ ବ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଛି। ଦୁଷ୍କର୍ମ-ହତ୍ୟାକାଣ୍ଡକୁ ନେଇ କେନ୍ଦ୍ରୀୟ ଏଜେନ୍ସିର ନଜରରେ ଥିବା ସନ୍ଦୀପ ଘୋଷଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ଆସିଛି। ଘୋଷଙ୍କୁ ଆଜି ସକାଳ ୮ଟାରୁ ପୁଣି ଜେରା କରିଥିଲା ସିବିଆଇ। ବେଲିଆଘାଟାସ୍ଥିତ ତାଙ୍କ ବାସଭବନରେ ହୋଇଥିବା ଏହି ଜେରାରେ ୭ ଜଣ ସିବିଆଇ ଅଧିକାରୀ ରହିଥିଲେ। ହସ୍ପିଟାଲର ପୂର୍ବତନ ମେଡିକାଲ ଅଧୀକ୍ଷକ ତଥା ଉପାଧ୍ୟକ୍ଷ ସଞ୍ଜୟ ବଶିଷ୍ଠ ଓ ଅନୁଷ୍ଠାନର ଫରେନସିକ୍ ମେଡିସିନ୍ ବିଭାଗର ଅନ୍ୟ ଜଣେ ପ୍ରଫେସରଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।
ସିବିଆଇ ଏହାର ପ୍ରଥମ ସୂଚନା ରିପୋର୍ଟରେ ଘୋଷଙ୍କ ସହ କୋଲକାତାର ତିନୋଟି ଘରୋଇ ସଂସ୍ଥା ଯଥା ମଧ୍ୟ-ଜୋରହାଟ, ବାଣୀପୁର, ହାଓଡ଼ାସ୍ଥିତ ମା’ ତାରା ଟ୍ରେଡର୍ସ, ୪/୧, ବେଲଗାଚିଆର ଏଶାନ୍ କାଫା ଓ ଖାମା ଲୋହାର ନାମ ଉଲ୍ଲେଖ କରିଛି। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୨୦ ବି (ଆପରାଧିକ ଷଡ଼ଯନ୍ତ୍ର), ୪୨୦ (ଠକେଇ) ଓ ଦୁର୍ନୀତି ନିବାରଣ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/itRj7rqnDWNvjP53Zmf4.jpg)