ନିଟ୍ ରିଗିଂ ସ୍କାମ୍: ୨୦ ଲକ୍ଷରେ ବିକ୍ରି ହେଉଥିଲା ମେଡିକାଲ ସିଟ୍

ନିଟ୍‌ ପରୀକ୍ଷା: କେରଳରେ ଛାତ୍ରୀଙ୍କୁ ଅପମାନଜନକ ଚେକିଂ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ନିଟ୍ ରୢାକେଟ୍‌ର ପର୍ଦାଫାସ କରିଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ୮ ଜଣଙ୍କୁ ମଧ୍ୟ ସିବିଆଇ ପୁଲିସ ଗତକାଲି ଗିରଫ କରିଥିବା ବେଳେ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ରୢାକେଟ୍ ବିଲିଉଡ୍ ମେଗାହିଟ୍ ସିନେମା ‘ମୁନାଭାଇ ଏମ୍‌ବିବିଏସ୍‌’ ଷ୍ଟାଇଲ୍‌ରେ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣାକୁ ବ୍ୟାପିଥିଲା। ଏମାନେ ଜଣ ପ୍ରତି ୨୦ ଲକ୍ଷ ଟଙ୍କା ଲେଖାଏ ଆଦାୟ କରି ଅସଲି ପ୍ରାର୍ଥୀ ବଦଳରେ ପରୀକ୍ଷା ଦେଇ ସେମାନଙ୍କୁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରୁଥିଲେ। ନକଲି ମେଧାବୀ ପରୀକ୍ଷାର୍ଥୀଙ୍କୁ ସେମାନେ ୫ ଲକ୍ଷ ଟଙ୍କା ଦେଉଥିଲେ। ଅସଲି ପରୀକ୍ଷାର୍ଥୀର ଫଟୋ, ଆଇକାର୍ଡ ଇତ୍ୟାଦି ଜାଲିଆତି କରି ସେମାନେ ଏହି ରୢାକେଟ୍ ଚଳାଉଥିଲେ।

କିଛି ଲୋକ ମେଧାବୀ ପିଲାମାନଙ୍କୁ ଟଙ୍କା ଦେଇ ସେମାନଙ୍କ ଦ୍ବାରା ଅସଲ ପ୍ରାର୍ଥୀ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରୁଥିବା ନେଇ ଖବର ମିଳିବା ପରେ ସିବିଆଇ ପକ୍ଷରୁ ସୋମବାର ଦିଲ୍ଲୀ ଓ ହରିୟାଣାରେ ଅନେକ କେନ୍ଦ୍ର ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ମୁଖ୍ୟ ସୂତ୍ରଧର ସୁଶୀଲ ରଞ୍ଜନ ସମେତ ୮ ଜଣଙ୍କୁ ଗିରଫ କରାଯିବା ସହ ମୋଟ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଉକ୍ତ ୧୧ ଜଣ ବ୍ୟକ୍ତି ହେଲେ ସୁଶୀଲ ରଞ୍ଜନ, ବ୍ରିଜ ମୋହନ ସିଂହ, ପପ୍ପୁ, ଉମା ଶଙ୍କର ଗୁପ୍ତା, ନିଧି, କୃଷ୍ଣ ଶଙ୍କର ଯୋଗୀ, ସନି ରଞ୍ଜନ, ରଘୁନନ୍ଦନ, ଜିପୁ ଲାଲ, ହେମେନ୍ଦ୍ର ଓ ଭରତ ସିଂହ। ପୁଲିସ ବର୍ତ୍ତମାନ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଜେରା କରିବ। ଏହା ପଛରେ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ଗୁଡ଼ିକର ଭୂମିକା ବିଷୟରେ ମଧ୍ୟ ତଦନ୍ତ କରାଯିବ। ଏଣିକି ନିଟ୍ ପରୀକ୍ଷାରେ ଠକାମିକୁ ରୋକିବା ପାଇଁ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

ନିଟ୍‌ ପରୀକ୍ଷା: କେରଳରେ ଛାତ୍ରୀଙ୍କୁ ଅପମାନଜନକ ଚେକିଂ
କୋଲ୍ଲମ: କେରଳର କୋଲ୍ଲମ ଜିଲ୍ଲାରେ ଏକ ନିଟ୍‌ ପରୀକ୍ଷା କେନ୍ଦ୍ରରେ ଝିଅମାନେ ପରୀକ୍ଷା ପାଇଁ ଯିବା ପୂର୍ବରୁ ସେମାନଙ୍କୁ ଅତି ଅପମାନଜନକ ଚେକିଂ କରାଯାଇଥିଲା। ସେମାନଙ୍କୁ ବ୍ରା ଓହ୍ଲାଇ ପରୀକ୍ଷା ପାଇଁ ଯିବାକୁ କୁହାଯାଇଥିଲା। ଏନେଇ ୩ଟି ମାମଲା ରୁଜୁ ହୋଇଛି। ତେବେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଜଣେ ୧୭ ବର୍ଷୀୟା ଝିଅର ବାପା ଏନେଇ ପୁଲିସରେ ଅଭିଯୋଗ କରିବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ବ୍ରାରେ‌ ମେଟାଲ ହୁକ୍‌ ଥିବାରୁ ତାଙ୍କ ଝିଅକୁ ପରୀକ୍ଷା କେନ୍ଦ୍ରରେ ଏହା କାଢ଼ିବାକୁ କୁହାଯାଇଥିଲା। ତାଙ୍କ ଝିଅ ଏହାର ବିରୋଧ କରିବାରୁ ତାଙ୍କୁ କୁହାଯାଇଥିଲା, ତୁମ ଭବିଷ୍ୟତ ବଡ଼ ନା’ ତୁମପାଇଁ ତୁମ ଅନ୍ତବସ୍ତ୍ର ବଡ଼। ସମୟ ନଷ୍ଟ ନକରି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରି ତାଙ୍କୁ ପରୀକ୍ଷାକୁ ଯିବାପାଇଁ କୁହାଯାଇଥିଲା। ସମ୍ପୃକ୍ତ ଛାତ୍ରୀ ଜଣଙ୍କ ଆଜି ଏନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ଖରାପ ଅନୁଭୂତି। ଆମକୁ ବ୍ରା କାଢ଼ି ଟେବୁଲ ଉପରେ ରଖିବାକୁ କୁହାଯାଇଥିଲା। ପରୀକ୍ଷା କେନ୍ଦ୍ର‌ରେ ପ୍ରାୟ ୯୦ ପ୍ରତିଶତ ଛାତ୍ରୀଙ୍କୁ ଏଥିପାଇଁ ବାଧ୍ୟ କରାଯାଇଥିଲା। ଅନେକ ଛାତ୍ରୀ ଏଥିପାଇଁ କାନ୍ଦିଥିଲେ। କିନ୍ତୁ ପାଖରେ ଅନ୍ୟ କିଛି ଉପାୟ ନଥିଲା। ‌ପୁଲିସ ଏହି ମାମଲାରେ ତଦନ୍ତ କରି ୫ଜଣ ମହିଳାଙ୍କୁ ଗିରଫ କରିଛି। ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର