କୋଲକାତା: କୋଲକାତା ଆର୍ଜି କର ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଜଣେ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ନୃଶଂସ ହତ୍ୟା ମାମଲାରେ ସିବିଆଇ ବ୍ୟାପକ ଖୋଳତାଡ଼ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ସିବିଆଇ ଏହି ମାମଲାରେ ୩୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ସରଜମିନ ଅନୁସନ୍ଧାନ ପରେ ପ୍ରଥମ ପଦକ୍ଷେପ ସ୍ବରୂପ ମେଡିକାଲ୍ କଲେଜର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ହସ୍ପିଟାଲ୍ର ୭ ଜଣ କର୍ମଚାରୀଙ୍କୁ ଜେରା କରିଛି। ପୂର୍ବ ଅଧ୍ୟକ୍ଷ ସନ୍ଦୀପଙ୍କୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା କରାଯାଇଛି। ଶୁକ୍ରବାର ଅପରାହ୍ଣରେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଭି ଚନ୍ଦ୍ରଶେଖରଙ୍କ ନେତୃତ୍ବରେ ଏକ ଟିମ୍ ପ୍ରଥମେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ସେମାନେ ତାଙ୍କ ପିତାମାତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ। ଏହି ସମୟରେ ପିତାମାତା କହିଥିଲେ ଯେ ତାଙ୍କ ଝିଅ କିଛି ଦିନ ଧରି ମାନସିକ ଚାପରେ ଥିଲେ। କଲେଜକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ଏହାପରେ ସିଜିଓ କମ୍ପ୍ଲେକ୍ସ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ କଲେଜର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଅଣାଯାଇ ଜେରା କରାଯାଇଥିଲା।
ଶୁକ୍ରବାର ଜେରା ଆରମ୍ଭ ହୋଇଥିବା ବେଳେ ଶନିବାର ଭୋର ସାଢ଼େ ୨ଟାରେ କିଛି ସମୟ ନିମନ୍ତେ କେବଳ ଘରକୁ ଯିବାକୁ ସନ୍ଦୀପଙ୍କୁ ଅନୁମତି ଦିଆଯାଇଥିଲା। ଦ୍ବିତୀୟ ଥର ସିବିଆଇ କାର୍ଯ୍ୟାଳୟକୁ ଫେରିବା ସମୟରେ ସନ୍ଦୀପ ଘୋଷ କେତେକ ନଥିପତ୍ର ସାଙ୍ଗରେ ନେଇ ଆସିଥିଲେ। ଏହି ସମୟରେ କାର୍ଯ୍ୟାଳୟ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ ସେ ଘୋଷ କହିଥିଲେ ଯେ ସିବିଆଇ ତାଙ୍କୁ ଗିରଫ କରିନାହିଁ କିମ୍କବା ତାଙ୍କୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ସହ ମୁହାଁମୁହିଁ ଜେରା କରାଯାଇନାହିଁ। ସିବିଆଇ କେବଳ ତାଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଆଜି ସିବିଆଇ ମୁଖ୍ୟ ସନ୍ଦିଗ୍ଧ ସଂଜୟର ମନୋବିଶ୍ଳେଷଣ ପରୀକ୍ଷା କରିଛି।
ସନ୍ଦୀପ ଘୋଷଙ୍କୁ ସିବିଆଇ ମାରାଥନ ଜେରା କରିବା ସହ ଶତାଧିକ ପ୍ରଶ୍ନର ଜବାବ ଆଦାୟ କରିଛି। କେତେବେଳେ ସେ ଅଭୟାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଲେ ? କିଏ ତାଙ୍କୁ ଜଣାଇଥିଲେ ଓ ଖବର ଜାଣିବା ପରେ ସେ କ’ଣ ପଦକ୍ଷେପ ନେଇଥିଲେ? ହସ୍ପିଟାଲରେ ଅନ୍ୟ କିଛି ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ସେ ଅବଗତ ଥିଲେ କି ନାହିଁ? କେଉଁ ପରିସ୍ଥିତିର ପୀଡ଼ିତା ସେମିନାର୍ ହଲ୍ରେ ପହଞ୍ଚିଥିଲେ ଏବଂ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସୂଚନାନୁଯାୟୀ, ଶୁକ୍ରବାର, ସିବିଆଇ ହସ୍ପିଟାଲ୍ର ୭ଜଣ କର୍ମଚାରୀଙ୍କୁ ଜେରା କରିଥିଲା। ସେମାନଙ୍କ ମଧ୍ୟରେ ନର୍ସ, ୱାର୍ଡ ବୟ ଓ ସୁରକ୍ଷାକର୍ମୀ ଅନ୍ତର୍ଭୁକ୍ତ। ଏହାବ୍ୟତୀତ, ପୂର୍ବ ଅଧ୍ୟକ୍ଷ ସନ୍ଦୀପଙ୍କ ସହକର୍ମୀ ହୃଦ୍ରୋଗ ବିଭାଗର ଅରୁଣାଭ ଦତ୍ତ ଚୌଧୁରୀ, ପୂର୍ବତନ ଅଧୀକ୍ଷକ ସଞ୍ଜୟ ବଶିଷ୍ଠଙ୍କୁ ମଧ୍ୟ ସିବିଆଇ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଛି। ସେହିଭଳି ପୀଡ଼ିତାଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ ଠାରୁ ମଧ୍ୟ ସିବିଆଇ କେତେକ ତଥ୍ୟ ସଂଗ୍ରହ କରିଥିବା ଜଣାଯାଇଛି।