ମେଡିକାଲ୍‌ ଛାତ୍ରୀଙ୍କୁ ହତ୍ୟା! ବିବାହ ପାଇଁ ଚାପ ପକାଉଥିବା ଡାକ୍ତର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏସ୍‌ଏନ୍‌ ମେଡିକାଲ କଲେଜରେ କାମ କରୁଥିବା ଉତ୍ତରପ୍ରଦେଶ ଅନ୍ତର୍ଗତ ଆଗ୍ରା ଅଞ୍ଚଳର ଜଣେ ମେଡିକାଲ ଛାତ୍ରୀଙ୍କର ବୁଧବାର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ଏହି ମାମଲାରେ ସଂପୃକ୍ତ ଛାତ୍ରୀଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିବା ଜଣେ ଡାକ୍ତରଙ୍କୁ ପୁଲିସ ସନ୍ଦେହରେ ଗିରଫ କରି ତଦନ୍ତ ଜାରି ରଖିଛି। ସୂଚନା ଥାଉ କି, ଗତ ମଙ୍ଗଳବାର ସନ୍ଧ୍ୟାରୁ ସଂପୃକ୍ତ ଛାତ୍ରୀ ଜଣକ ନିଖୋଜ ହୋଇଯାଇଛନ୍ତି ବୋଲି ପରିବାର ପକ୍ଷରୁ ପୁଲିସ୍‌ରେ ଅଭିଯୋଗ ଆଣିବାର କେତେ ଘଣ୍ଟା ପରେ ବାମରୌଳି-କଟାରା ନିକଟ ଜାତୀୟ ରାଜପଥ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁ ପାଇଁ ତାଙ୍କ ଠାରୁ ବର୍ଷେ ବରିଷ୍ଠ ଥିବା ସଂପୃକ୍ତ ଡାକ୍ତର ଜଣକ ଦାୟୀ ବୋଲି ମୃତକାଙ୍କ ଭାଇ ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷେ, ସନ୍ଦିଗ୍ଧ ଅଭିଯୁକ୍ତ ଡାକ୍ତରଙ୍କର ଦୀର୍ଘ ୭ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା ବୋଲି ସେ ସ୍ବୀକାର କରିଥିବା ବେଳେ ତାଙ୍କ ବକ୍ତବ୍ୟରେ ତାଳମେଳ ରହୁନଥିବା ପୁଲିସ କହିଛି। ମୃତକାଙ୍କର ମୁଣ୍ଡକୁ କୌଣସି ଭାରୀ ପଦାର୍ଥରେ ଆଘାତ କରାଯାଇଥିବା ଏବଂ ତାଙ୍କର କ୍ରୀଡ଼ା-ଜୋତା ଶବ ମିଳିଥିବା ସ୍ଥାନର କିଛି ଦୂରରେ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର