ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାର ମାଗଣା ନୁହେଁ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି। ଔଷଧ ମୂଲ୍ୟ ବୃଦ୍ଧି କରି ଏଭଳି ଉପହାର ଡାକ୍ତରମାନଙ୍କୁ ଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି | ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୂକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୩୭ (୧) ଅନୁଯାୟୀ ଫାର୍ମା କମ୍ପାନୀଗୁଡିକ ଆୟକର ଛାଡରୁ ଏହାର ଲାଭ ଉଠାଇ ପାରିବେ ନାହିଁ |
ଏହି ମାମଲାର ବିଚାର କରି ଜଷ୍ଟିସ୍ ୟୁୟୁ ଲଲିତଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତର ପ୍ରେସକ୍ରିପସନରେ ଯାହା ବି ଲେଖିଥାନ୍ତି ରୋଗୀ ସେହି ମେଡ଼ିସିନ ହିଁ ଆଣିଥାଏ | ଡାକ୍ତର ଲେଖିଥିବା ଔଷଧ ଦାମୀ ହେଲେ ବି ରୋଗୀ ତାହା କିଣିବାକୁ ଚେଷ୍ଟା କରିଥାଏ | ଏପରି ପରିସ୍ଥିତିରେ, ଯେତେବେଳେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନରେ ଫାର୍ମା କମ୍ପାନୀଗୁଡିକ ଦ୍ୱାରା ଦିଆଯାଇଥିବା ମାଗଣା ଉପହାର ସହ ଜଡିତ ଥାଏ, ଏହା ଏକ ଚିନ୍ତାର ବିଷୟ ହୋଇଥାଏ | ଫ୍ରୀବି(ଏଲସିଡି ଟିଭି, ସୁନା କଏନ, ଭ୍ରମଣ ଖର୍ଚ୍ଚ ଓ ଅନ୍ୟାନ୍ୟ ଉପହାର) ଇତ୍ୟାଦି ଡାକ୍ତରଙ୍କୁ ଦେଇ ଏହାର ମୂଲ୍ୟ ଔଷଧ ମୂଲ୍ୟ ସହ ଯୋଡିଦିଆଯାଏ |
ଯାହାଦ୍ୱାରା ରୋଗୀଟିଏ ଅଧିକ ଦାମ ଦେଇ ମେଡ଼ିସିନ କିଣିଥାଏ | ଏହା ସର୍ବସାଧାରଣ ନୀତି ବିରୁଦ୍ଧ ଓ ଏହା ଆଇନ ଦ୍ୱାରା ସ୍ପଷ୍ଟ ଭାବରେ ନିଷେଧ | ଭାରତୀୟ ମେଡିକାଲ୍ କାଉନସିଲ୍ ରେଗୁଲେସନ୍, ୨୦୦୨ ର ଉପ-ନିୟମ ୬.୮ ଅନୁଯାୟୀ, ଡାକ୍ତରମାନଙ୍କୁ ଫାର୍ମା କମ୍ପାନୀଗୁଡିକର ଫ୍ରିବି ଦେବା ଦଣ୍ଡନୀୟ | ତେଣୁ, ଏହି ଉପହାର ଖର୍ଚ୍ଚ କମ୍ପାନୀଗୁଡିକର ଆୟ ଏବଂ ବ୍ୟବସାୟରେ ଯୋଡି ହୋଇପାରିବ ନାହିଁ | କାରଣ, ଏହା ବେଆଇନ କାର୍ଯ୍ୟରେ ବ୍ୟୟ ହୋଇଥାଏ ଏବଂ ବେଆଇନ ବ୍ୟୟ ଆୟକର ରିହାତିରୁ ମୁକ୍ତ ହୋଇପାରିବ ନାହିଁ | ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଚ୍ୟାଲେଞ୍ଜ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Medicines.jpeg)