ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ୩୦ଜଣ ପୁଲିସକର୍ମୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ

ଭିଡିଓ ଜାରି କଲା ଉତ୍ତର ପ୍ରଦେଶ ପୁଲିସ

ମିରଟ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ପ୍ରତିବାଦକାରୀମାନେ ୩୦ଜଣ ପୁଲିସକର୍ମୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ବୋଲି ଜଣାଯାଇଛି। ଏଥିନେଇ ଉତ୍ତର ପ୍ରଦେଶ ପୁଲିସ ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ପ୍ରତିବାଦକାରୀମାନେ ମିରଟ ସହରର ବିଭିନ୍ନ ସ୍ଥାନରେ ନିଆଁ ଲଗାଇଥିଲେ। କେବଳ ସେତିକି ନୁହେଁ ସେମାନେ ୩୦ ଜଣ ପୁଲିସକର୍ମୀଙ୍କୁ ଏକ ଦୋକାନରେ ବନ୍ଦ କରି ଜିଅନ୍ତା ଜାଳିବାକୁ ଉଦ୍ୟମ ବି କରିଥିଲେ । ତେବେ ପୁଲିସକର୍ମୀମାନେ .ସେମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ସେଠାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମିରଟ ଥାନା ଅନ୍ତର୍ଗତ ଲିସାଡି ଅଞ୍ଚଳରେ ୩୦ ଜଣ ପୁଲିସକର୍ମୀଙ୍କୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକେ ଏକ ଦୋକାନରେ ବନ୍ଦ କରି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଏହି ଘଟଣାକ୍ରମର ଏକ ଭିଡିଓ ମିରଟ ପୁଲିସ ପକ୍ଷରୁ ଜାରି କରାଯାଇଛି ।

ଏସଏସପି ଅଜୟ ସାହନୀଙ୍କ ଅନୁଯାୟୀ, ଏହି ଘଟଣା ଡିସେମ୍ଵର ୨୦ତାରିଖରେ ଘଟିଥିଲା।  ନମାଜ ପାଇଁ ପୁଲିସ ଏବଂ ଆରଏଏଫ ଯବାନଙ୍କର ଡ୍ୟୁଟି ଥିଲା। ପ୍ରାୟ ୩୦ ଜଣ ପୁଲିସ ଓ ଆରଏଏଫ ଯବାନ ଏକ ଦୋକାନରେ ବସିଥିଲେ। ଏହି ସମୟରେ ପ୍ରତିବାଦକାରୀମାନେ ସେମାନଙ୍କୁ ଦୋକାନ ଭିତରେ ପୂରାଇ ବାହାର ପଟୁ କବାଟରେ ତାଲା ଦେଇଥିଲେ । ତାପରେ ସେମାନେ ସେହି ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଖବର ପାଇ ଏସଏସପି ଅଜୟ ସାହନୀ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ ୨ ଜଣ ଆରଏଏଫ ଯବାନଙ୍କୁ ଗୁଳି ଲାଗିଥିଲା।
ଏବେ ଭିଡିଓରୁ ସେହି ପ୍ରତିବାଦକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଣ୍ଡିତ କରିବାର ଯୋଜନା କରାଯାଇଛି ବୋଲି ଏସଏସପି ଅଜୟ ସାହନୀ କହିଛନ୍ତି।

ସମ୍ବନ୍ଧିତ ଖବର