ମୁମ୍ବାଇ: ଆଜକୁ ୧୯ ବର୍ଷ ତଳେ ହିନ୍ଦୀ ସିନେମା ‘କହୋ ନା ପ୍ୟା ହୈ’ରେ ପ୍ରଥମ ଥର ପାଇଁ ମୁହଁ ଦେଖାଇ ହଜାର ହଜାର ପ୍ରେମୀଯୁଗଳଙ୍କ ହୃଦୟରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଅଭିନେତା ହ୍ରିତିକ ରୋଶନ୍ ଏବଂ ନାୟିକା ଅମିଶା ପଟେଲଙ୍କୁ ଆଜି ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା। ମରାଠୀ ଚଳଚ୍ଚିତ୍ର ‘ସ୍ମାଇଲ୍ ପ୍ଲିଜ୍’ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦର୍ଶକମାନେ ବିଗତ ଦିନର ଏହି ଯୋଡ଼ିଙ୍କର ମିଳିତ ସ୍ମିତ ହାସ୍ୟକୁ ପୁଣି ଥରେ ଅତି ନିକଟରେ ଦେଖି ମୁଗ୍ଧ ହୋଇଥିଲେ। ତେବେ ଦୀର୍ଘ ଦିନର ବିରତି ପରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଅବସରରେ ହ୍ରିତିକଙ୍କ ‘କେମିତି ଅଛ’ ପ୍ରଶ୍ନରେ ଅମିଶାଙ୍କ ପ୍ରକାଶ୍ୟ ହସ ଭିତରେ କଳା ଚଷମା ତଳେ ଛପିଯାଉଥିବା ଲୁହବୁନ୍ଦାକୁ ଦର୍ଶକମାନେ ଠିକ୍ ଠଉରେଇ ପାରିଥିଲେ। ସୂଚନା ଥାଉ କି, ବଲିଉଡରେ ନିଜର ପ୍ରଥମ ପଦାର୍ପଣ ପରେ ହ୍ରିତିକ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆଶାନୁରୂପ ସଫଳତା ସାଉଁଟିଥିବା ବେଳେ ସିନେମା ଜଗତରେ ଅମିଶାଙ୍କର ଭୂମିକା ନଗଣ୍ୟ ରହିଛି।