ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାରମାନେ: ନକ୍ସଲ ଅଧ୍ୟୁଷିତ ସୁକୁମା ଜିଲ୍ଲାର ସର୍ବ ପ୍ରଥମ ଡାକ୍ତର ହେବେ ମାୟା

ଡୋରନାପାଲ/ ସୁକୁମା (ଛତିଶଗଡ଼): ଛତିଶଗଡ଼ର ନକ୍ସଲ ଅଧ୍ୟୁଷିତ ସୁକୁମା ଜିଲ୍ଲା ଅନ୍ତର୍ଗତ ଡୋରନାପାଲର ଜନୈକା ଯୁବତୀ ମାୟା ଏବେ ସଫଳତା ପୂର୍ବକ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏବେ ସମଗ୍ର ଜିଲ୍ଲାର ସର୍ବପ୍ରଥମ ଡାକ୍ତର ହେବାର ସୁନାମ ଅର୍ଜନ କରିବା ଅପେକ୍ଷାରେ ରହିଛନ୍ତି। ଏମ୍‌ବିବିଏସ୍‌ ଶ୍ରେଣୀରେ ନାମ ଲେଖାଇବା ପାଇଁ ସର୍ବ ଭାରତୀୟ ସ୍ତରରେ ଗତ ଜୁନ୍‌ ମାସରେ ଆୟୋଜିତ ହୋଇଥିବା ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ମାୟା ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

‘ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ଜଣେ ଡାକ୍ତର ହେବାକୁ। ଜଣେ ଡାକ୍ତର ହୋଇ ମୋର ଏଇ ଅଞ୍ଚଳବାସୀଙ୍କର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୋ ମନରେ ରହିଥିଲା ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା’ ବୋଲି କହିଛନ୍ତି ମାୟା। ନକ୍ସଲ ଅଧ୍ୟୁଷିତ ଡୋରନାପାଲର ଏକ ସରକାରୀ ବିଦ୍ୟାଳୟରେ ପଢ଼ିଥିବା ମାୟା ଏନ୍‌ଇଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏବେ ଅମ୍ବିକାପୁର ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଶ୍ରେଣୀରେ ନାମ ଲେଖାଇଛନ୍ତି। ଆସନ୍ତା ୨୦୨୩ରେ ଏମ୍‌ବିବିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମାୟା ହେବେ ଜଣେ ଡାକ୍ତର।

ନିଜ ସଂପର୍କରେ ମାୟା କହନ୍ତି, ‘ମୋତେ ମାତ୍ର ୧୦ ବର୍ଷ ବୟସ ହୋଇଥିବା ବେଳେ ବାପା ଆମକୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ। ମୋ ମା’ ଅନେକ ଘାତ ପ୍ରତିଘାତ ଓ ଦୁଃଖ କଷ୍ଟ ମଧ୍ୟରେ ମୋତେ ମୋ ତିନି ଭାଇଙ୍କୁ ପାଠ ପଢ଼ାଉଥିଲେ। ଅର୍ଥ ଆମ ପଢ଼ାରେ ବାଧକ ସାଜିଥିଲେ ମଧ୍ୟ ଆମେ ଏହାକୁ ଆଣଦେଖା କରି ପାଠ ପଢ଼ି ଚାଲିଥିଲୁ। ଏନ୍‌ଇଇଟି ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ମୁଁ ଅର୍ଥାଭାବ କାରଣରୁ ବହି ସୁଦ୍ଧା କିଣିବାରେ ସମର୍ଥ ହୋଇ ନଥିଲି। ତଥାପି ମୁଁ ଦୃଢ଼ ନିଶ୍ଚିତ ମୁଁ ସଫଳତା ପୂର୍ବକ ଏମ୍‌ବିବିିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବି ଓ ଜଣେ ସଫଳ ଡାକ୍ତର ହୋଇ ମୋ ଅଞ୍ଚଳବାସୀଙ୍କ ସେବା କରିବି।’

ସମ୍ବନ୍ଧିତ ଖବର