ପାଟନା : ଭାରତୀୟ ବଂଶୋଦ୍ଭବ ତଥା ବିହାରର ଅଭୟ କୁମାର ସିଂହ ହେଉଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ଜଣେ ବିଧାୟକ। ଏକ ହିନ୍ଦୀ ଚାନେଲ ଦ୍ବାରା ନିଆଯାଇଥିବା ତାଙ୍କର ଏକ ସାକ୍ଷାତ୍କାରରେ ସେ ୟୁକ୍ରେନ୍ ବିରୋଧରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି।
ସାକ୍ଷାତ୍କାରରେ ସିଂହ କହିଛନ୍ତି, ଏହା ଏକ ଯୁଦ୍ଧ ନୁହେଁ, ଏହା ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରି। ରୁଷିଆ ୟୁକ୍ରେନ୍ର କେବଳ ସାମରିକ ଶିବିରଗୁଡ଼ିକ ଉପରେ ଆକ୍ରମଣ କରୁଛି। କିନ୍ତୁ ଯଦି ୟୁକ୍ରେନ୍ର ସେନା ସୁପରମାର୍କେଟକୁ ଆସିବେ ଓ ରୁଷିଆ ସେନା ଉପରେ ଆକ୍ରମଣ କରିବେ, ତେବେ ରୁଷ୍ ସେନାକୁ ତ ତା’ର ଜବାବ ଦେବାକୁ ପଡ଼ିବ। ଠିକ୍ ସେଇଆ ହିଁ ଘଟିଛି ୟୁକ୍ରେନରେ। ୟୁକ୍ରେନ୍ ସେନା ସାଧାରଣ ଲୋକଙ୍କୁ ଢାଲ କରିବାକୁ ଚେଷ୍ଟା କରୁଛି। ସିଂହ କହିଲେ- ଜେଲେନସ୍କିଙ୍କୁ ପଚାରିବାକୁ ହେବ ସେ କାହିଁକି ସାଧାରଣ ଲୋକଙ୍କୁ ବନ୍ଧୁକ ଦେଉଛନ୍ତି, ସେ କାହିଁକି କଏଦୀମାନଙ୍କୁ ଜେଲରୁ ମୁକ୍ତ କରିଦେଇଛନ୍ତି?
ବିହାରରେ ଜନ୍ମିତ ଅଭୟ କୁମାର ସିଂହ ହେଉଛନ୍ତି ପଶ୍ଚିମ ରୁଷିଆର ଏକ ସହର କୁରସ୍କର ଡେପୁଟାଟ୍ (ଆମ ଦେଶରେ ଯାହାକୁ ଏମ୍ଏଲ୍ଏ ବା ବିଧାୟକ କହନ୍ତି)। ସେ କିଛିଦିନ ସମାନ୍ତରାଳ ବ୍ୟବସାୟ ଚଳାଇବା ପରେ ଶେଷରେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ପାର୍ଟିର ସଦସ୍ୟ। ସେ ପାଟନାର ଲୟଲା ସ୍କୁଲରେ ପାଠ ପଢ଼ା ପଢ଼ିବା ପରେ ମେଡିକାଲ ପଢ଼ିବାକୁ ରୁଷିଆ ଯାଇଥିଲେ ଏବଂ ମେଡିକାଲ ପ୍ରାକ୍ଟିସ୍ କରିବାକୁ ପାଟନା ବି ଫେରିଆସିଥିଲେ। କିନ୍ତୁ ପରେ ସେ କୁରସ୍କରେ ସ୍ଥାୟୀ ଭାବେ ବସବାସ କରିବାକୁ ନିଷ୍ପତ୍ତି ନେଲେ, ଯେଉଁଠି ସେ ଡାକ୍ତରି ପଢ଼ୁଥିଲେ। ବ୍ୟବସାୟ ସହ ରାଜନୀତି କରି ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବନିଗଲେ। ୨୦୧୫ରେ ସେ କୁରସ୍କରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରିଥିଲେ। ରୁଷିଆରେ ରହିଲା ବେଳେ ସେ ବିଦେଶରେ ରହିବା ପରି ଅନୁଭବ କରନ୍ତି ନାହିଁ ବୋଲି ସାକ୍ଷାତ୍କାରରେ କହିଥିଲେ। ରୁଷିଆର କୌଣସି ପରମାଣୁ ଆକ୍ରମଣର ଯୋଜନା ନାହିଁ ବୋଲି ସାକ୍ଷାତ୍କାରରେ ଅଭୟ କହିଥିଲେ। ତେବେ କାହିଁକି ରୁଷିଆ ପରମାଣୁ ଡ୍ରିଲ (ଅଭ୍ୟାସ) କରୁଛି ବୋଲି ପଚାରିବାରୁ ସେ କହିଲେ ଯେ, ଯଦି ଅନ୍ୟ କୌଣସି ଦେଶ ଆକ୍ରମଣ କରନ୍ତି, ତା’ର ମୁକାବିଲା କରିବା ପାଇଁ ଏହା ପ୍ରସ୍ତୁତି ମାତ୍ର।
ସିଂହ କହିଲେ ଯେ, ରୁଷିଆ ୟୁକ୍ରେନ୍କୁ ଯୁଦ୍ଧ ପୂର୍ବରୁ କଥାବାର୍ତ୍ତା କରିବା ପାଇଁ ବହୁତ ସୁଯୋଗ ଦେଇଥିଲା। କିନ୍ତୁ ୟୁକ୍ରେନ୍ ଶୁଣିଲା ନାହିଁ। ଶେଷକୁ ରୁଷିଆ ଆକ୍ରମଣ କରିବାକୁ ବାଧ୍ୟ ହେଲା। ଯଦି କୌଣସି ଦେଶ ବାଂଲାଦେଶ ସୀମାରେ ଆଣି ଭାରତ ବିରୋଧରେ କ୍ଷେପଣାସ୍ତ୍ର ଖଞ୍ଜିବ, ଭାରତର ପ୍ରତିକ୍ରିୟା କ’ଣ ରହିବ? ୟୁକ୍ରେନ୍ ନାଟୋରେ ମିଶିଲେ ଆମେରିକା ୟୁକ୍ରେନ୍ରେ ରୁଷିଆ ସୀମାରେ ରୁଷିଆ ଆଡ଼କୁ ମୁହଁ କରି କ୍ଷେପଣାସ୍ତ୍ର ଖଞ୍ଜିବ। ତେଣୁ ରୁଷିଆ ୟୁକ୍ରେନ୍ର ନାଟୋରେ ଯୋଗଦାନକୁ ବିରୋଧ କରିବା ଏବଂ ନ ମାନିବାରୁ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯଥାର୍ଥ ବୋଲି ଅଭୟ ସିଂହ କହିଥିଲେ।