ପାଟନା: ବହୁ ଲୋକପ୍ରିୟ ୱେବ୍ ସିରିଜ୍ ‘ପଞ୍ଚାୟତ’ର ସର୍ବଶେଷ ସିଜିନରେ ଜଣେ ମୁଖ୍ୟ ଚରିତ୍ରଙ୍କ ଭାଇରାଲ୍ ସଂଳାପରେ କୁହାଯାଇଛି - ‘କିଜିୟେ ମିଟିଂ ମିଟିଂ, ଖେଲିୟେ ମିଟିଂ ମିଟିଂ, କରତେ ରହିଏ ମିଟିଂ ମିଟିଂ, ଅଲହୁଆ ମିଟିଂ’। ଏହା ନିର୍ବାଚନ ହେବାକୁ ଥିବା ବିହାରର ବର୍ତ୍ତମାନର ପରିସ୍ଥିତିର ପ୍ରତୀକ, ଯେଉଁଠାରେ ଅନେକ ରାଉଣ୍ଡ ବୈଠକ ଏବଂ ଦିଲ୍ଲୀ-ପାଟନା ବିମାନ ଯାତାୟାତ ସତ୍ତ୍ୱେ ଉଭୟ ଏନ୍ଡିଏ ଓ ମହାମେଣ୍ଟ ଏପର୍ଯ୍ୟନ୍ତ ସିଟ୍ ବଣ୍ଟନ ବିଶୃଙ୍ଖଳାର ସମାଧାନ କରିପାରିନାହାନ୍ତି। ଉଭୟ ଶିବିରରେ ବଡ଼ ଅଭିଳାଷ ଥିବା ଅନେକ ଛୋଟ ଦଳ ରହିଥିବାରୁ ଆସନ ବଣ୍ଟନରେ ଅଚଳାବସ୍ଥା ଏନ୍ଡିଏ ଓ କଂଗ୍ରେସ-ଆରଜେଡି ମେଣ୍ଟକୁ ନିର୍ବାଚନ ପାଇଁ ପୂର୍ଣ୍ଣ ପ୍ରଚାର ଆରମ୍ଭ କରିବାରେ ବାଧା ଦେଇଛି। ନଭେମ୍ବର ୬ ଓ ୧୧ରେ ହେବାକୁ ଥିବା ନିର୍ବାଚନ ଆରମ୍ଭ ହେବାକୁ ଏକ ମାସରୁ କମ୍ ସମୟ ବାକି ଅଛି। ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇବ।
ଉଭୟ ମେଣ୍ଟ ମଧ୍ୟରେ ଏନ୍ଡିଏ ପ୍ରତ୍ୟେକ ଦଳ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଘୋଷଣା କରି ଏକ ପାଦ ଆଗରେ ରହିଛି। ତଥାପି ନିର୍ବାଚନମଣ୍ଡଳୀକୁ ନେଇ ମତଭେଦ ଜାରି ରହିଛି।
ଅନ୍ୟପକ୍ଷରେ କଂଗ୍ରେସ-ଆର୍ଜେଡି କଳି ଭିତରେ ମହାଗଠବନ୍ଧନ ଏପର୍ଯ୍ୟନ୍ତ ଆସନ ବଣ୍ଟନ ଚୁକ୍ତିରେ ପହଞ୍ଚି ପାରି ନାହିଁ। ପାଟନା ଓ ଦିଲ୍ଲୀରେ ଆଲୋଚନା ସତ୍ତ୍ବେ ଉଭୟ ଆର୍ଜେଡି ଓ କଂଗ୍ରେସ ଆସନ ବଣ୍ଟନକୁ ନେଇ ମତଭେଦ ଦୂର କରିବା ପାଇଁ ସଂଘର୍ଷ କରୁଛନ୍ତି। ୨୦୨୦ରେ କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଏଥର ବି ପ୍ରଥମେ ୭୦ଟି ଆସନ ଦାବି କରିଥିଲା। ଏବେ ୬୧-୬୩ରୁ କମ୍ ଆସନ ନେବାକୁ ମନା କରିଦେଇଛି। ତେବେ ୨୦୨୦ରେ କଂଗ୍ରେସର ଖରାପ ପ୍ରଦର୍ଶନ ହେତୁ ଆର୍ଜେଡି ଅଧିକ ଆସନ ଦେବାକୁ ଆଗ୍ରହୀ ନୁହେଁ। କଂଗ୍ରେସ ୨୦୨୦ରେ ୭୦ଟି ଆସନରୁ ମାତ୍ର ୧୯ଟି ଜିତିଥିଲା। ଏହା ପରେ ଦଳକୁ ମହାମେଣ୍ଟର ସରକାର ଗଠନ ସମ୍ଭାବନାକୁ ନଷ୍ଟ କରିବା ପାଇଁ ଦାୟୀ କରାଯାଇଥିଲା, ଯେଉଁଥିରେ ଆର୍ଜେଡି ୭୫ଟି ଆସନ ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ଏଥର ଆର୍ଜେଡି ଏହାର ଭାଗକୁ ୧୩୦ ଆସନରୁ ତଳକୁ ଆଣିବାକୁ ଅନିଚ୍ଛା ପ୍ରକାଶ କରିଛି। ଏପରିକି ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଓ ସିପିଆଇ(ଏମ୍ଏଲ୍) ପରି ଛୋଟ ଦଳ ମଧ୍ୟ କଠୋର ମୂଲଚାଲ କରୁଛନ୍ତି। ଭିଆଇପି ୪୦ଟି ଆସନ ଦାବି କରିଛନ୍ତି, କିନ୍ତୁ ଅତି ବେଶିରେ ୧୨ଟି ଆସନ ପାଇପାରନ୍ତି। ଯଦି ମେଣ୍ଟ ନିର୍ବାଚନରେ ଜିତିବ ତେବେ ଏହା ଉପମୁଖ୍ୟମନ୍ତ୍ରୀ ପଦ ଦାବି କରିଛି। ଅନ୍ୟପକ୍ଷରେ ସିପିଆଇ(ଏମ୍ଏଲ୍) ମଧ୍ୟ ୨୦୨୦ ନିର୍ବାଚନରେ ଏହାର ପ୍ରଭାବଶାଳୀ ପ୍ରଦର୍ଶନ ଦର୍ଶାଇ ୩୫-୪୦ ଆସନ ଦାବି କରିଛି। ୨୦୨୦ରେ ବାମପନ୍ଥୀ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୯ଟି ଆସନ ମଧ୍ୟରୁ ୧୨ଟି ଜିତିଥିଲା ଏବଂ ବିଧାନସଭାରେ ପଞ୍ଚମ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା।
ଏନ୍ଡିଏର ଏକତା ଓ ଆଭ୍ୟନ୍ତରୀଣ ମତଭେଦ ଏନ୍ଡିଏ ହୁଏତ ଏହାର ଆସନ ବଣ୍ଟନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିଥାଇପାରେ, କିନ୍ତୁ ନିର୍ବାଚନମଣ୍ଡଳୀକୁ ନେଇ ବିବାଦ ରହିଛି। ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ୧୦୧ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୪୦ଟି ଆସନ ପାଇଁ ଦାବି କରୁଥିବା ଚିରାଗ ପାଶୱାନଙ୍କ ଏଲ୍ଜେପି (ରାମବିଳାସ) ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନ୍ଡିଏର ଅନ୍ୟ ଦୁଇ ସହଯୋଗୀ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍) ଓ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା (ଏଚ୍ଏଏମ୍) ପ୍ରତ୍ୟେକ ଛଅଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତଥାପି, ଟିକେଟ୍ ଆବଣ୍ଟନକୁ ନେଇ ମତଭେଦ ଦେଖାଦେଇଛି, ଅନେକେ ସମାନ ଆସନରେ ଲଢ଼ିବାକୁ ଜିଦ୍ ଧରିଛନ୍ତି। ଏହି କାରଣରୁ ସୋମବାର ଏକ ନିର୍ଦ୍ଧାରିତ ଏନ୍ଡିଏ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇଥିଲା। ଉଭୟ ନୀତୀଶ କୁମାର ଓ ଚିରାଗ ପାଶୱାନଙ୍କ ଦଳ ଗୁରୁତ୍ୱପୂର୍ଣ୍ଣ ଆସନ ସୋନବରସା ଓ ରାଜଗିର ଉପରେ ଦାବି କରିଛନ୍ତି। ୨୦୨୦ ନିର୍ବାଚନରେ ଜେଡିୟୁ ସୋନବରସା ଆସନରେ ଜିତିଥିଲା। ବର୍ତ୍ତମାନର ବିଧାୟକ ରତ୍ନେଶ ସାଦା ନୀତୀଶ କୁମାରଙ୍କ ଅନ୍ୟତମ ବିଶ୍ୱସ୍ତ ସହଯୋଗୀ। ଜାଣିବାକୁ ମିଳିଛି ଯେ ସେମାନଙ୍କ ବନ୍ଧନ ଏତେ ଦୃଢ଼ ଯେ ନୀତୀଶ ଯାହା ବି ହେଉନା କାହିଁକି ଏହି ଆସନ ଛାଡିବାର ସମ୍ଭାବନା ନାହିଁ। ଚିରାଗ ବର୍ତ୍ତମାନ ଜେଡିୟୁ ଅଧୀନରେ ଥିବା ଅନେକ ଆସନ ପାଇଁ ଚାପ ପକାଉଛନ୍ତି।