ଦିଲ୍ଲୀରେ ବୈଠକ-କାଶ୍ମୀରରେ ଶାନ୍ତି, ୩ବର୍ଷ ପୂର୍ବେ ନକ୍ସା ପ୍ରସ୍ତୁତ କରିଥିଲେ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସର୍ବଦଳୀୟ ବୈଠକ ବସିଥିବାବେଳେ ଜମ୍ମୁ କାଶ୍ମୀ‌ରରେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଇନାହିଁ। ମୋଟାମୋଟି କହିଲେ ସେଠାରେ ଆଜି ଶାନ୍ତି ବଜାୟ ରହିଛି। ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରକୁ ରାଜ୍ୟ ପରିବର୍ତ୍ତେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିବର୍ତ୍ତନ କରି ଦିଆଯାଇଥିବାରୁ ଅତୀତରେ ଅନେକ ଟିପ୍ପଣୀ ବିରୋଧୀ ଦଳ ନେତାମାନେ ଦେଇଛନ୍ତି। ଏପରିକି ଧାରା ୩୭୦ ଉଚ୍ଛେଦ ବେଳେ ଫାରୁକ୍ ଅବଦୁଲ୍ଲା ଚୀନ ସହିତ ହାତ ମିଳାଇବା ଧମକ ଦେଇଥିଲେ। ସେହିଭଳି ମେହବୁବା ମୁଫତି ଧମକ ଦେଇଥିଲେ ଯେ ଯଦି ଧାରା ୩୭୦ ଉଚ୍ଛେଦ ହୁଏ ତାହେଲେ କାଶ୍ମୀର ଭାରତରେ ରହିପାରିବ ନାହିଁ ଏବଂ ସେଠାରେ ନିଆଁ ଜଳିବ। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ସେଭଳି କିଛି ଘଟିନାହିଁ। ଏହି ନେତାମାନଙ୍କ ଧମକ ପାଣିଚିଆ ହୋଇଯାଇଛି। କାଶ୍ମୀର ବାସୀ ମଧ୍ୟ ପରିବର୍ତ୍ତନ ନିଷ୍ପତ୍ତିକୁ ଗ୍ରହଣ କରିନେଇଥିବା କୁହାଯାଉଛି।

୩ବର୍ଷ ପୂର୍ବେ ନକ୍ସା ପ୍ରସ୍ତୁତ କରିଥିଲେ ମୋଦୀ

ନୂଆଦିଲ୍ଲୀ: ୩ ବର୍ଷ ପର୍ବେ ପିଡିପି ନେତୃତ୍ବରେ ମେଣ୍ଟ ସରକାର ଜମ୍ମୁ କାଶ୍ମୀରରେ ଚାଲିଥିଲା। ସେହି ସମୟରେ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ୨୦୧୮ ବେଳକୁ ମୋଦୀ ଚିନ୍ତା କଲେ ମୁଫତି ସରକାରଙ୍କ ବ୍ଲାକ୍‌ମେଲ୍ ଏବଂ ଧମକ ସବୁଦିନ ଆସୁଛି। ତେଣୁ ଏ ନେଇ କିଛି କରା ନଗଲେ ଜମ୍ମୁ କାଶ୍ମୀରର ଭାଗ୍ୟ ବଦଳିବ ନାହିଁ। ରାଜ୍ୟର ନେତୃବୃନ୍ଦ ଜମ୍ମୁ କାଶ୍ମୀରର ବିକାଶ ନେଇ ଆଦୌ ଚିନ୍ତିତ ନୁହଁନ୍ତି। ବରଂ ସେମାନେ ସେମାନଙ୍କ ନିଜ ସ୍ବାର୍ଥ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି। ଦୁର୍ନୀତି ମଧ୍ୟ ଶୀର୍ଷରେ ପହଞ୍ଚିଛି। ତେଣୁ ସେଠାରେ ଦେଖାଦେଇଥିବା ଅସ୍ଥିରତାକୁ ଦୂର ନକଲେ ବିକାଶ ହୋଇପାରିବ ନାହିଁ। ତେଣୁ ମେହବୁବା ସରକାରଙ୍କୁ କେନ୍ଦ୍ର ବରଖାସ୍ତ କରି ସେଠାରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା। ତେଣୁ ପରୋକ୍ଷରେ ମୋଦୀ ଏହି ରାଜ୍ୟର ଶାସନକୁ ନିଜ ହାତକୁ ଆଣିଥିଲେ। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସଂସଦରେ ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପାଇଁ ବିଲ୍ ଆଗତ କରାଗଲା। ଉଭୟ ଗୃହରେ ଏହା ଗୃହୀତ ହେବା‌ପରେ ରାଷ୍ଟ୍ରପତି ଏଥିରେ ମୋହର ମାରିଥିଲେ। ଫଳରେ ଜମ୍ମୁ କାଶ୍ମୀରରୁ ଏକ ରାଜ୍ୟ ପରିବର୍ତ୍ତେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସ୍ଥାନରେ ପ୍ରଥମ ଉପରାଜ୍ୟପାଳ ଭାବେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ମୋଦୀ ନିଯୁକ୍ତି ଦେଇଥିଲେ। ଏବେ ମନୋଜ ସିହ୍ନା ଉପରାଜ୍ୟପାଳ ଅଛନ୍ତି।

ସମ୍ବନ୍ଧିତ ଖବର