ଡୋଭାଲ୍‌ଙ୍କ ବାସଭବନରେ ଧାର୍ମିକ ନେତାଙ୍କ ବୈଠକ: ଶାନ୍ତି,ସଦ୍‌ଭାବନା ବଜାୟ ରଖିବା ନେଇ ଆଲୋଚନା

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଆସିବା ପରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ୍‌ଙ୍କ ନୂଆଦିଲ୍ଲୀସ୍ଥିତ ବାସ ଭବନରେ ହିନ୍ଦୁ ଓ ମୁସ୍‌ଲିମ୍‌ ଧାର୍ମିକ ନେତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଅଯୋଧ୍ୟା ସମେତ ଦେଶରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବାକୁ ସମସ୍ତ ଧାର୍ମିକ ନେତାମାନେ ସହମତି ପ୍ରକାଶ କରିଥିଲେ।

ଏହି ବୈଠକରେ ସିହା ଧାର୍ମିକ ନେତା ମୌଲାନା କାଲ୍‌ବେ ଜୱାଦ, ହିନ୍ଦୁ ଧର୍ମ ଗୁରୁ ସ୍ବାମୀ ଚିଦାନନ୍ଦ ସରସ୍ବତୀ, ବାବା ରାମଦେବଙ୍କ ସମେତ ଅନେକ ଧାର୍ମିକ ନେତା ଉପସ୍ଥିତ ଥିଲେ। ଦେଶରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଡୋଭାଲ୍‌ଙ୍କୁ ଭେଟିବା ପରେ ବାବା ରାମଦେବ କହିଛନ୍ତି। ସମସ୍ତ ଧାର୍ମିକ ନେତା ଦେଶର ସମ୍ବିଧାନ ଓ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେବା ଉଚିତ ବୋଲି ବାବା ରାମଦେବ କହିଛନ୍ତି।

ମୁସ୍‌ଲିମ୍‌ ପକ୍ଷକୁ ଯେଉଁ ପାଞ୍ଚ ଏକର ଜମି ଯୋଗାଇ ଦିଆଯିବ, ସେଥିରେ ମସ୍‌ଜିଦ୍‌ ନିର୍ମାଣ କରିବାରେ ହିନ୍ଦୁମାନେ ସହୃଦୟତାର ସହ ଆଗେଇ ଆସିବାକୁ ବାବା ରାମଦେବ ଆହ୍ବାନ ଜଣାଇଛନ୍ତି। ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରବର୍ତ୍ତୀ ସ୍ଥିତିକୁ ‌ସରକାର ଯେଉଁଭଳି ଭାବେ ପରିଚାଳନା କଲେ ତାହା ପ୍ରଶଂସାଯୋଗ୍ୟ ବୋଲି ସିହା ଧର୍ମଗୁରୁ ମୌଲାନା କାଲ୍‌ବେ ଜୱାଦ୍‌ କହିଛନ୍ତି।

ରବିବାରର ବୈଠକ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଦେଶର ଜାତୀୟ ସ୍ବାର୍ଥ ବିରୋଧରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସିହା ଧର୍ମ ଗୁରୁ ଜୱାଦ କହିଛନ୍ତି। ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶର ଏକତା ସୁଦୃଢ଼ ହୋଇଛି ବୋଲି ଧାର୍ମିକ ନେତାମାନେ କହିଛନ୍ତି। ସେହିଭଳି ସ୍ବାମୀ ଚିଦାନନ୍ଦ ସରସ୍ବତୀ କହିଛନ୍ତି, ବୈଠକରୁ ଗୋଟିଏ ସତ୍ୟ ସାମ୍ନାକୁ ଆସିଲା ଯେ, ଆମେ ଅଲଗା‌ ଅଲଗା ଭାବେ ଈଶ୍ବରଙ୍କୁ ଉପାସନା କରୁଥିଲେ ବି ଦେଶର ସ୍ବାର୍ଥ ପାଇଁ ଆମେ ସମସ୍ତେ ଏକାଠି। ଅଯୋଧ୍ୟ ରାୟ ହିଁ ଦେଶରେ ଧର୍ମ ଧର୍ମ ମଧ୍ୟରେ ଦୂରତା ହ୍ରାସ କରିଦେଇଛି। ଏହି ରାୟ ଦେଶବାସୀଙ୍କ ହୃଦୟକୁ ଯୋଡ଼ିଛି। ଦେଶର ସ୍ବାର୍ଥ ରକ୍ଷା ପାଇଁ ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଆହ୍ବାନ ଜଣାଇଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଧର୍ମଗୁରୁମାନେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାକୁ ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର