ଆଜାଦଙ୍କ ବାସଭବନରେ ଜି-୨୩ ନେତାଙ୍କ ବୈଠକ: ୧୪ ଦିନରେ ନୂଆ ଦଳ ଆରମ୍ଭ କରିବେ ଆଜାଦ

ଜମ୍ମୁ କାଶ୍ମୀରରେ ଦଳର ପ୍ରଥମ ସଂଗଠନ ଆରମ୍ଭ ହେବ

ନୂଆଦିଲ୍ଲୀ : କଂଗ୍ରେସରୁ ଗତକାଲି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ବାସଭବନରେ ଆଜି ଜି-୨୩ ନେତାମାନେ ବୈଠକ କରିଛନ୍ତି। ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଆସନ୍ତାକାଲି ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକ ଥିବାବେଳେ ଏହା ପୂର୍ବରୁ ଅସନ୍ତୁଷ୍ଟ ନେତାଙ୍କ ସମାବେଶ ଚର୍ଚ୍ଚାରେ ରହିଛି। ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସରୁ ଆହୁରି ଅନେକ ବରିଷ୍ଠ ନେତା ଇସ୍ତଫା ଦେଇପାରନ୍ତି। ଆଜାଦଙ୍କ ଇସ୍ତଫାର ଦିନକ ପରେ ଜି-୨୩ ନେତାଙ୍କ ଏଭଳି ବୈଠକ ଆଗକୁ କଂଗ୍ରେସ ସଙ୍କଟକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ଆଜାଦ ଆସନ୍ତା ୧୪ ଦିନ ମଧ୍ୟରେ ତାଙ୍କ ନିଜର ଦଳ ଆରମ୍ଭ କରିବେ। ଦଳର ପ୍ରଥମ ଶାଖା ଜମ୍ମୁ କାଶ୍ମୀରରୁ ଆରମ୍ଭ ହେବ। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଜିଏମ୍‌ ସରୁରୀ ଆଜି ଏହି ସୂଚନା ଦେଇଛନ୍ତି। ସରୁରୀ କହିଛନ୍ତି, ଜମ୍ମୁ କାଶ୍ମୀରର ଅଗଷ୍ଟ ୫,୨୦୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ମଧ୍ୟ ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ରହିବ। ସରୁରୀ ଦାବି କରିଛନ୍ତି ଆଜାଦଙ୍କ ଇସ୍ତଫା ପରେ ଅନେକ ବରିଷ୍ଠ କଂଗ୍ରେସ ନେତା, ପଞ୍ଚାୟତ ରାଜ୍ୟ ଅନୁଷ୍ଠାନର ସଦସ୍ୟ ଏବଂ ପ୍ରମୁଖ କର୍ମୀ ସେମାନଙ୍କ ଇସ୍ତଫା ଦେଇଛନ୍ତି। ଆଜାଦ ସେପ୍ଟେମ୍ବର ୪‌ରେ ଜମ୍ମୁ କାଶ୍ମୀର ଆସି‌ବେ ଏବଂ ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର