ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଇନ୍ଦୋରଠାରେ ୧୭ଶ ପ୍ରବାସୀ ଭାରତୀୟ ଦିବସ ଅବସରରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସନ୍ତୋଖୀଙ୍କୁ ଭେଟିଛନ୍ତି।। ଜାନୁୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ସନ୍ତୋଖୀ ଏହି ଦିବସର ସ୍ୱତନ୍ତ୍ର ଅତିଥି ହୋଇଛନ୍ତି।
ବୈଠକରେ ଉଭୟ ନେତା ଦୁଇପକ୍ଷର ସ୍ୱାର୍ଥସମ୍ବଳିତ ହାଇଡ୍ରୋକାର୍ବନ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ ପଦକ୍ଷେପ ଓ ଆଇସିଟି ଏବଂ ଦକ୍ଷତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁରିନାମ ନେଇଥିବା ଲାଇନ୍ସ ଅଫ୍ କ୍ରେଡିଟ୍ ଅନ୍ତର୍ଗତ ଋଣକୁ ଭାରତ ଦ୍ୱାରା ପୁର୍ନଗଠନକୁ ସୁରିନାମ ପ୍ରଶଂସା କରିଛି। ରାଷ୍ଟ୍ରପତି ସନ୍ତୋଖୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଙ୍ଗଳବାର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେବା ସହ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ସମାରୋହରେ ଭାଗ ନେବେ। ସେ ଇନ୍ଦୋରଠାରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ରେ ମଧ୍ୟ ଭାଗ ନେବେ। ପରେ ସେ ଅହମଦାବାଦ ଓ ଦିଲ୍ଲୀଗସ୍ତ କରିବେ।