ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବୈଠକ: ସମୀକ୍ଷା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

‘ଦାମିନୀ’ ଆପ୍‌କୁ ସବୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆସନ୍ତା ମୌସୁମୀ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା । ସେ ମଧ୍ୟ ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଦୀର୍ଘକାଳୀନ ଉପାୟର ସମୀକ୍ଷା କରିଥିଲେ । ବୈଠକରେ ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ। ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଆଗୁଆ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସ୍‌ଓପି ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହ ଏନ୍‌ଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିଲେ। ‘ଉମଙ୍ଗ’, ‘ରେନ୍‌ ଆଲାର୍ମ’ ଓ ‘ଦାମିନୀ’ ଭଳି ପାଣିପାଗ ପୂର୍ବାନୁମାନ କରୁଥିବା ବିଭିନ୍ନ ମୋବାଇଲ ଆପ୍‌ ସମ୍ପର୍କରେ ସର୍ବାଧିକ ପ୍ରଚାରପ୍ରସାର ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲ। ‘ଦାମିନୀ’ ଆପ୍‌କୁ ଦେଶର ସବୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ‘ଦାମିନୀ’ ଆପ୍‌ ତିନି ଘଣ୍ଟା ପୂର୍ବରୁ ବଜ୍ରପାତର ସତର୍କ ସୂଚନା ଦେଇଥାଏ ଯାହାକି ଧନଜୀବନ ହାନିକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ନଦୀବନ୍ଧ ସୁରକ୍ଷା ଆଇନ, ୨୦୨୧ ଅନୁଯାୟୀ ରାଜ୍ୟ ସ୍ତରରେ ଏବଂ ନଦୀବନ୍ଧ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗୁଆ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ଶାହ କହିଥିଲେ । ଯାହା ଫଳରେ ଜଳସ୍ତର ଓ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ଏବଂ ଧନଜୀବନ ହାନି ହ୍ରାସ କରିବା ସମ୍ଭବ ହୋଇପାରିବ ।

ବୈଠକରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ସ୍ବରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ସ୍ବରାଷ୍ଟ୍ର, ଜଳ ସମ୍ପଦ, ନଦୀ ବିକାଶ ଓ ନଦୀ କାୟାକଳ୍ପ, ଭୂବିଜ୍ଞାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବ, ସଦସ୍ୟ ସଚିବ, ଏନ୍‌ଡିଏମ୍‌ଏ, ଆଇଏମ୍‌ଡି ଏବଂ ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ, ଇସ୍ରୋ, ରେଳ ବୋର୍ଡ, ଏନ୍‌ଏଚ୍‌ଏଆଇ, ସିଡବ୍ଲୁସି ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧ୍ୟକ୍ଷ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର