ଦିଲ୍ଲୀ ଓ ଦିଲ ମଧ୍ୟରେ କମ ହେବ ଦୂରତା: ସାଢେ ତିନି ଘଣ୍ଟାର ବୈଠକରେ କହିଲେ ମୋଦୀ

ନୂଆଦିଲ୍ଲୀ: ସାଢେ ୩ ଘଣ୍ଟା ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏହି ବୈଠକ ପରେ ଜାମ୍ମୁ କାଶ୍ମୀର ଅପ୍ନି ଦଳର ନେତା ଅଲତାଫ ବୁଖାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ସମୟରେ ନିର୍ବାଚନର ରୂପରେଖ ବାବଦରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା | ବୁଖାରୀ କହିଛନ୍ତି ଯେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇ ଆଣିବାକୁ ମୋଦୀ ପ୍ରତିବଦ୍ଧ ବୋଲି ଆଶ୍ୱାସନା ଦେଇଛନ୍ତି । ବିଜେପି ନେତା ନିର୍ମଲ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ସମୟରେ ସମସ୍ତ ଦଳ ସହମତ ହୋଇଥିଲେ ଯେ ଜାମ୍ମୁ କାଶ୍ମୀରରେ ଶାନ୍ତି ରହିବା ଉଚିତ |

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ନେତାଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ଏକାଠି କାମ କଲେ ହିଁ ଶାନ୍ତି ଆସିବ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଅନେକ କଥା କୁହାଯାଇଛି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟତା ଫେରାଇବାକୁ ଆମେ ଦାବି କରିଛୁ। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଆମେ ପାଞ୍ଚଟି ବଡ ଦାବି କରିଛୁ।

ସେ କହିଛନ୍ତି ଯେ ଆମେ ବିଭାଜନକୁ ବିରୋଧ କରିଛୁ। କାଶ୍ମୀରୀ ପଣ୍ଡିତଙ୍କ ପୁନର୍ବାସ ପାଇଁ ଦାବି ସହ ରାଜନେତାଙ୍କୁ ସୁରକ୍ଷା, ଜମି ଏବଂ ନିଯୁକ୍ତି ଗ୍ୟାରେଣ୍ଟି ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। ସୂଚନାନୁସାରେ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦିଲ୍ଲୀ ଓ ଦିଲ(ହୃଦୟ)ର ଦୂରତା ହ୍ରାସ ପାଇବ। ଜାମ୍ମୁ କାଶ୍ମୀରର ଭବିଷ୍ୟତ ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପରିସୀମା ପ୍ରକ୍ରିୟା ଶେଷ ହେବା ମାତ୍ରେ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର