ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମଦିବସରେ ସତସଙ୍ଗ ଆଶ୍ରମରେ ବିଶାଳ ସ୍ବାସ୍ଥ୍ୟଶିବିର; ୩୦୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା କଲେ ୨୦୦ ବିଶେଷଜ୍ଞ

ଦେଓଘର (ଝାଡ଼ଖଣ୍ଡ) : ‘ସତସଙ୍ଗ’ର ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ୫୬ତମ ଜନ୍ମଦିବସ ଅବସରରେ ଏକ ବିଶାଳ ସ୍ବାସ୍ଥ୍ୟଶିବିର ଦେଓଘରସ୍ଥିତ ସତସଙ୍ଗ ଆଶ୍ରମରେ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ଆଗତ ତଥା ନାମୀଦାମୀ ହସ୍ପିଟାଲରେ କାର୍ଯ୍ୟରତ ୨୦୦ରୁ ଊର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତର ଏହି ସ୍ବାସ୍ଥ୍ୟଶିବିରରେ ଅଂଶଗ୍ରହଣ କରି ପ୍ରାୟ ୩୦୦୦ ରୋଗୀଙ୍କ ଚିକିତ୍ସା କରିଛନ୍ତି। ଡାକ୍ତରୀ ପରାମର୍ଶ ସହ ରୋଗୀମାନଙ୍କର ମାଗଣାରେ ଆବଶ୍ୟକୀୟ ପରୀକ୍ଷା କରାଯିବା ସାଙ୍ଗକୁ ଔଷଧ ବିତରଣ କରାଯାଇଥିଲା।

ଜୁନ୍ ୮ ତାରିଖ ଗୁରୁବାର ସକାଳ ୭ଟାରେ ସତସଙ୍ଗ ଆଶ୍ରମର ମନୋମ‌ୋହିନୀଧାମରେ  ଅନୁଷ୍ଠିତ ଏହି ମେଗା ସ୍ବାସ୍ଥ୍ୟ ଶିବିରକୁ ଦେଓଘରର ଡେପୁଟି କମିସନର ମଞ୍ଜୁନାଥ ଭଜାନ୍ତ୍ରି ଉଦଘାଟନ କରିଥିଲେ।  ଏହାପରେ ଦେଓଘର ସହର ଓ ଏହାର ପାଖାପ‌ାଖି ଅଞ୍ଚଳରୁ ଆସିଥିବା ହଜାର ହଜାର ରୋଗୀ ଦେଶର ବଡ଼ବଡ଼ ଡାକ୍ତରଖାନାରେ କାର୍ଯ୍ୟକରୁଥିବା ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।  ମେଡିସିନ୍, ସର୍ଜରି, ଶିଶୁରୋଗ, ପ୍ରସୂତୀ ଓ ସ୍ତ୍ରୀରୋଗ, ଚକ୍ଷୁରୋଗ, ଅସ୍ଥିରୋଗ, ନାସା-ଗଳା-କର୍ଣ୍ଣ, ହୃଦରୋଗ, ସ୍ନାୟୁରୋଗ, ଶ୍ବାସରୋଗ, ପ୍ଲାଷ୍ଟିକ ସର୍ଜରି, ଦନ୍ତରୋଗ, କ୍ରିଟିକାଲ୍ କେୟାର ଓ ଫିଜିଓଥେରାପି ଆଦି ବିଭାଗର ୨୦୦ ବିଶେଷଜ୍ଞ ରୋଗୀ ଦେଖିଥିଲେ। ପ୍ରତି ବିଭାଗର ରୋଗୀଙ୍କ ଲାଗି ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯିବା ସହ ରୋଗୀଙ୍କର ନାମ ଓ ଠିକଣା ପଞ୍ଜୀକରଣ କରାଯାଇଥିଲା।  ଏଥିସହ ଇସିଜି, ପିଏଫଟି, ବ୍ଲଡସୁଗାର, ଏଚବିଏ୧ସି ଭଳି ପରୀକ୍ଷା ମଧ୍ୟ ବିନା କୌଣସି ଶୁଳ୍କରେ କରାଯାଇଥିଲା। ରୋଗୀଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ମାଗଣାରେ ଔଷଧ ମଧ୍ୟ ପ୍ରଦ‌ାନ କରାଯାଇଥିଲା। ପ୍ରବଳ ଗରମ ସତ୍ତ୍ବେ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ରୋଗୀଙ୍କ ସୁଅ ଛୁଟିଥିଲା।

ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମଦିବସରେ ସତସଙ୍ଗ ପକ୍ଷରୁ ପ୍ରଥମ କରି ଏଭଳି ବଡ଼ଧରଣର ସ୍ବାସ୍ଥ୍ୟଶିବିର ଆୟୋଜନ କରାଯାଇଥିଲା ଓ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକେ ବେଶ୍ ଉପକୃତ ହୋଇଥିଲେ।

ସମ୍ବନ୍ଧିତ ଖବର