ଚାଳକବିହୀନ ମେଜେଣ୍ଟା ଲାଇନ ମେଟ୍ରୋ ଉଦ୍‌ଘାଟନ କରି ଯାତ୍ରୀ ସାଜିଲେ ମୋଦି

ଉଦଘାଟନ ପରେ ମୋଦି କହିଲେ, ୨୦୧୯ ସୁଦ୍ଧା ପ୍ରତି ଗାଁକୁ ସଡ଼କ ଯୋଡ଼ିବ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ପ୍ରତ୍ୟେକ ଗାଁକୁ ସଡ଼କ ପଥ ସଂଯୋଗ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଅବସରରେ ସୋମବାର ଦିଲ୍ଲୀର ପ୍ରଥମ ଚାଳକବିହୀନ ମେଟ୍ରୋ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଆଜି ଅଟଲ ବିହାରୀଙ୍କ ଜନ୍ମଦିବସକୁ ଦେଶରେ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ସୁଶାସନ ପାଇଁ ପରିବର୍ତ୍ତନର ଆବଶ୍ୟକତା ଅଛି। ମୁଁ ପଚାରୁଛି, ଯଦି ରାଜନୈତିକ ଲାଭ ମିଳୁ ନାହିଁ, ତା’ହେଲେ କ’ଣ ଲୋକକଲ୍ୟାଣ କାମ ଅଟକାଯିବ। ସରକାର ନିଷ୍ପତ୍ତି ନେଇଛନ୍ତି, ଯେ, ୨୦୧୯ ସୁଦ୍ଧା ପ୍ରତି ଗାଁକୁ ସଡ଼କ ଯୋଡ଼ିବ।

କାଳକାଜୀ ମନ୍ଦିରରୁ ସିଧାସଳଖ ନୋଏଡ଼ାର ବଟନିକାଲ ଗାର୍ଡେନକୁ ସଂଯୋଗ କରୁଥିବା ମେଜେଣ୍ଟା ଲାଇନରେ ଚାଳକବିହୀନ ମେଟ୍ରୋର ଉଦ୍‌ଘାଟନ ପରେ ମୋଦି ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଯାତ୍ରା କରିଛନ୍ତି। ମୋଦି ବଟାନିକାଲ ଷ୍ଟେସନରୁ ବଟାନିକାଲ ଗାର୍ଡେନ ଷ୍ଟେସନରୁ ଓଖଲା ପକ୍ଷୀ ଅଭୟାରଣ୍ୟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ତାଙ୍କ ସାଥିରେ ରାମ ନାଏକ, ଯୋଗୀ ଆଦିତ୍ୟନାଥ ଓ ବିଜେପି ବିଧାୟକ ପଙ୍କଜ ସିଂହ ଉପସ୍ଥିତ ଥିଲେ।

ଟୁଇଟରରେ ମେଜେଣ୍ଟା ଲାଇନର ପ୍ରଶଂସା

ମେଟ୍ରୋ ଟେନ୍‌ର ଉଦ୍‌ଘାଟନ ପୂର୍ବରୁ ମୋଦି ରବିବାର ଟୁଇଟରରେ କହିଥିଲେ, ନବ ନିର୍ମିତ ମେଜେଣ୍ଟା ଲାଇନ ନଗର ପରିବହନ ପାଇଁ ଆଧୁନିକୀକଣର ମାଇଲ ଖୁଣ୍ଟ। ଏହି ଲାଇନ ଦିଲ୍ଲୀ ଓ ନେଏଡା ମଧ୍ୟରେ ଯାତ୍ରାକୁ ଦ୍ରୁତ ଓ ସହଜ ବନାଇବ। ମୋଦି ଟୁଇଟରରେ ଲେଖିଛନ୍ତି, ଏହି ନୂଅାଁ ଲାଇନ ଆଉ ଏକ ଉଦାହରଣ ଯେ, ଆମେ ପରିବହନ ବ୍ୟବସ୍ଥାକୁ ଆଧୁନିକକୀକରଣ କରିପାରିଛୁ। ମୋଦି ଲେଖିଛନ୍ତି, ମୁଁ ସୋମବାର ମେଟ୍ରୋ ଟ୍ରେନରେ ଯାତ୍ରା କରିବି। ଏବର୍ଷ ମୋତେ କୋଚ୍ଚି ଓ ହାଇଦ୍ରାବାଦ ମେଟ୍ରୋ ଉଦ୍‌ଘାଟନ କରିବାକୁ ସୁଯୋଗ ମିଳିଛି।

ଆଉ ଏକ ଟୁଇଟରରେ ମୋଦି ସୋମବାର ଲେଖିଛନ୍ତି, ଏନ୍‌ସିଆରର ବନ୍ଧୁମାନଙ୍କ ପାଇଁ ଭଲ ଖବର। ଆସନ୍ତାକାଲି ନୂଆ ମେଜେଣ୍ଟା ଲାଇନର ଉଦଘାଟନ ହେବ। ଦିଲ୍ଲୀ-ନୋଏଡା ଯାତ୍ରା ଆହୁରି ସହଜ ହେବ।

ଦୀର୍ଘ ୧୩ କିଲୋମିଟର ପ୍ରକଳ୍ପ ବଟାନିକାଲ ଗାର୍ଡେନରୁ କାଳକାଜୀ ଖଣ୍ଡ ଲାଇନ ମଧ୍ୟରେ ୯ଟି ଷ୍ଟେସନ ରହିଛି। କାଳକା ମନ୍ଦିର ଷ୍ଟେସନକୁ ଛାଡ଼ି ଅନ୍ୟ ଷ୍ଟେସନମାନଙ୍କରେ ଏଲିଭେଟର ଲାଗିଛି। ପୂର୍ବରୁ ବଟାନିକାଲ ଗାର୍ଡେନରୁ କାଲକାଜୀ ମନ୍ଦିର ପାଇଁ ୫୨ ମିନିଟ ଲାଗୁଥିବା ବେଳେ ଏଣିକି ୧୯ ମିନିଟ ଲାଗିବ। ମେଜେଣ୍ଟା ଲାଇନର ଉଦ୍‌ଘାଟନ ହେବା ପରେ ଯାତ୍ରୀ କମ୍‌ ସମୟରେ ପହଞ୍ଚି ପାରିବେ।

ସମ୍ବନ୍ଧିତ ଖବର