ଶିଲଂ : ଏନ୍‌ପିପି ମୁଖ୍ୟ କନରାଡ କେ ସାଙ୍ଗମା ଶୁକ୍ରବାର ମେଘାଳୟ ରାଜ୍ୟପାଳ ଫଗୁ ଚୌହାନଙ୍କୁ ସାକ୍ଷାତ କରିଛନ୍ତି ଏବଂ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଛନ୍ତି। ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତାଙ୍କ ପଛରେ ୩୨ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି। ଆଜି ରାଜଭବନ ଯିବା ପୂର୍ବରୁ ସାଙ୍ଗମା ଏକ ସ‌ାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସାଙ୍ଗମା କହିଥିଲେ, ଆମ ନିକଟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି। ବିଜେପି ଆମକୁ ସମର୍ଥନ କରି ସାରିଛି। ଅନ୍ୟ କେତେକ ସ୍ବାଧୀନ ସଦସ୍ୟ ସମର୍ଥନ କରିଛନ୍ତି ବୋଲି ସାଙ୍ଗମା କହିଛନ୍ତି।

Advertisment

ସାଙ୍ଗମା ଦ୍ବିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ମାର୍ଚ୍ଚ ୭ ତାରିଖରେ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଏନ୍‌ପିପି ମୁଖ୍ୟ ଆଜି ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ଦେବା ସହ ରାଜ୍ୟରେ ନୂଆ‌ ସରକାର ଗଠନ ପାଇଁ ଦାବି କରିଥିଲେ। ମେଘାଳୟରେ ଏନ୍‌ପିପି ଏକକ ବୃହତ୍ତମ ଦଳ ହୋଇଛି। ଭୋଟ୍‌ ଗ୍ରହଣ ହୋଇଥିବା ୫୯ ଆସନରୁ ଏନ୍‌ପିପି ୨୬ ଆସନରେ ଜିତିଛି।