ମେଘାଳୟ କୋଇଲା ଖଣିରେ ଶ୍ରମିକମାନେ ମୃତ୍ୟୁ ମୁଖରେ, ସ୍ପେସାଲ୍‌ ପମ୍ପ୍‌ ପାଇଁ କୋଲ୍‌ ଇଣ୍ଡିଆକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଶିଲଙ୍ଗ୍‌: ଶନିବାର ଦିନ ମେଘାଳୟ ମୁଖ୍ୟମନ୍ତ୍ରୀ କୋନାର୍ଡ କେ ସାଙ୍ଗମା କହିଛନ୍ତି ଯେ ଡିସେମ୍ବର ୧୩ ତାରିଖରୁ ୩୭୦ ଫୁଟ୍‌ ଗଭୀର ବେଆଇନ୍‌ କୋଇଲା ଖଣିରେ ଅଟକି ରହିଥିବା ୧୩ ଜଣ ଶ୍ରମିକ ମୃତ୍ୟୁ ମୁଖରେ। ସେମାନଙ୍କୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା ସ୍ୱରୂପ ରାଜ୍ୟ ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌କୁ ଉଚ୍ଚ-କ୍ଷମତାସମ୍ପନ୍ନ ସବ୍‌ସର୍ସିବ୍ଲ ପମ୍ପ୍‌ ମାଗିଛନ୍ତି।

ସେ କହିଛନ୍ତି ଯେ ପୂର୍ବ ଜଇନ୍ତିଆ ପର୍ବତ ଜିଲ୍ଲା ଅନ୍ତର୍ଗତ ଲୁମ୍‌ଥାରି ଅଞ୍ଚଳରେ ୧୩ ଜଣ ଖଣି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସହାୟତା କରିବା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ପମ୍ପ୍‌ ଲାଗି କୋଲ୍‌ ଇଣ୍ଡିଆକୁ ଆବେଦନ ପତ୍ର ଲେଖିଛନ୍ତି।

ସେ କହିଛନ୍ତି: ଶ୍ରମିକମାନେ ମୃତ୍ୟୁ ମୁଖରେ। ମୋର ଆଶା କୋଲ୍‌ ଇଣ୍ଡିଆ ଅନୁରୋଧ ରଖିବ। ଆମେ ଅପେକ୍ଷା କରିଛୁ।

ଲୁମ୍‌ଥାରି ଗାଁ ଅନ୍ତର୍ଗତ କଷଣ ଅଞ୍ଚଳରେ ବେଆଇନ୍‌ ଖଣି ଗହ୍ଵର ମଧ୍ୟକୁ ପାଖରେ ପ୍ରବାହିତ ଲାଇତେଇନ ନଦୀ ଜଣ ହଠାତ୍‌ ପଶିଯିବାରୁ ଶ୍ରମିକମାନେ ଭିତରେ ଅଟକି ରହିଛନ୍ତି।

ଶନିବାର ସୁଦ୍ଧା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଅଭିଯାନ ୧୦ମ ଦିନରେ ପହଞ୍ଚିଛି। ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ପ୍ରାୟ ୧୦୦ କର୍ମଚାରୀ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି।

ଏବେ ଖଣି ମଧ୍ୟରୁ ଦୁଇଟି ପମ୍ପ୍‌ ଯୋଗେ ପାଣି କଢ଼ା ଯାଉଥିଲେ ମଧ୍ୟ ଲାଇତେଇନ୍‌ ନଦୀରୁ ପାଣି ସେ ଖଣିରେ ପଶୁଥିବାରୁ ଖଣି ମଧ୍ୟରୁ ଜଳପତ୍ତନ କମୁନାହିଁ ବୋଲି ଜିଲ୍ଲା ଏସ୍‌ପି ଏସ୍‌ ନଙ୍ଗ୍‌ଟାଇଙ୍ଗର୍‌ କହିଛନ୍ତି।

ଗ୍ରାମର ଜଣେ ଲୋକଙ୍କ କହିବା ଅନୁସାରେ, ସମ୍ଭବତଃ କୌଣସି ଶ୍ରମିକ ନଦୀ ପଟକୁ ରହିଥିବା ଖଣିର କାନ୍ଥକୁ ଭୁଲ୍‌ରେ ଅଧିକ ଖୋଳି କଣା କରି ଦେବାରୁ ସେ ବାଟେ ନଦୀ ଜଳ ପ୍ରବେଶ କରୁଛି।

ସମ୍ବନ୍ଧିତ ଖବର