ମେଘାଳୟରେ ୬୭%, ନାଗାଲାଣ୍ଡ୍‌ରେ ୭୫% ମତଦାନ : ମାର୍ଚ୍ଚ ୩ରେ ଫଳାଫଳ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟରେ ଆଜି ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ୍‌ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ମେଘାଳୟରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ନାଗାଲାଣ୍ଡ୍‌ରେ ୭୫ ପ୍ରତିଶତ ମତଦାନ ହୋଇଛି। ନାଗାଲାଣ୍ଡରେ ୨୦୧୩ରେ ୯୦.୫୭ ପ୍ରତିଶତ ଏବଂ ମେଘାଳୟରେ ୮୯ ପ୍ରତିଶତ ମତଦାନ ହୋଇଥିଲା। ତେବେ ଦୁଇଟି ଯାକ ରାଜ୍ୟରେ ୫୯ଟି ଲେଖାଏଁ ଆସନ ଲାଗି ଆଜି ନିର୍ବାଚନ ହୋଇଥିବା ବେଳେ ପୂର୍ବାପେକ୍ଷା ମତଦାନ ହାର ଯଥେଷ୍ଟ କମିଛି। ନାଗାଲାଣ୍ଡ୍‌ରେ ଦୁଇଟି ସ୍ଥାନରେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଉଭୟ ରାଜ୍ୟରେ ଅନେକ ସ୍ଥାନରେ ଇଭିଏମ୍‌ ଏବଂ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହେବାରୁ ବିଳମ୍ବରେ ଭୋଟ୍‌ ଗ୍ରହଣ ହୋଇଛି। ନାଗାଲାଣ୍ଡରେ ୧୦୦ଟି ମତଦାନ କେନ୍ଦ୍ରରେ ଭୋଟ୍‌ଗ୍ରହଣ ବିଳମ୍ବ ହୋଇଥିବା ଜଣାଯାଇଛି। ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ୍‌ ସାଙ୍ଗ୍‌ମା ଦକ୍ଷିଣ ପଶ୍ଚିମର ଗାରୋ ହିଲ୍ସ ଜିଲ୍ଲାରେ ଭୋଟ୍‌ ଦେଇଛନ୍ତି।

ସେହିପରି ରାଜ୍ୟପାଳ ଗଙ୍ଗା ପ୍ରସାଦ ଉତ୍ତର ସିଲଂର ଓକ୍‌ଲାଣ୍ଡ୍‌ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି। ମେଘାଳୟରେ କଂଗ୍ରେସ ୫୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୪୯ ଆସନରେ ପ୍ରାର୍ଥୀ ଦେଇଛି। ନାଗାଲାଣ୍ଡ୍‌ରେ କଂଗ୍ରେସ ୧୮ଟି ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ୨୦ଟି ଆସନରେ ଏବଂ ଏନ୍‌ଡିପିପି (ନ୍ୟାସନାଲ ଡିମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି) ୪୦ଟି ଆସନରେ ପ୍ରାର୍ଥୀ ଦେଇଛି। ନାଗାଲ୍ୟାଣ୍ଡ୍‌ରେ ସବୁ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ବର୍ଜନ କରିବାକୁ ନାଗା ନାଗରିକ ସମାଜର ଆହ୍ଵାନକୁ ସମର୍ଥନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବିଜେପି ପ୍ରଥମେ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। କଂଗ୍ରେସରେ ପ୍ରବଳ ଅନ୍ତଃକନ୍ଦଳ ଯୋଗୁଁ ଦଳ ମାତ୍ର ୧୮ଟି ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଥିଲା। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ହୋଲି ପରେ ଆସନ୍ତା ୩ ତାରିଖରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର