ମେଘାଳୟ ରାଜ୍ୟପାଳଙ୍କ ବିବାଦୀୟ ବୟାନ: ପ୍ରଧାନମନ୍ତ୍ରୀ ‘ଅହଂକାରୀ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସେ ମୋଦୀଙ୍କୁ ‘ଅହଂକାରୀ’ କହିଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରୁ ଜଣାପଡ଼ୁଛି ଯେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅସବରରେ ସତ୍ୟପାଲ କହୁଛନ୍ତି, ‘ଚାଷୀ ଆନ୍ଦୋଳନ ସଂପର୍କରେ ଆଲୋଚନା ପାଇଁ ମୋଦୀଙ୍କୁ ଭେଟିବାକୁ ଯାଇଥିଲି।

ମୋଦୀଙ୍କ ସହିତ ମୋର ଯୁକ୍ତିତର୍କ ହୋଇଥିଲା। ୫୦୦ ଚାଷୀ ତାଙ୍କ ଯୋଗୁଁ ମରିଛନ୍ତି ବୋଲି ସ୍ବୀକାର କରିବାକୁ ମୋଦୀ ରାଜିନଥିଲେ। ସେ ମୋତେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ କହିଥିଲେ।’ ମୋଦୀ ଅହଂକାରୀ ବୋଲି ମଲ୍ଲିକ କହୁଥିବା ଏହି ଭିଡିଓ କ୍ଲିପରୁ ଜଣାପଡ଼ୁଛି। ସେ ଅମିତ ଶାହଙ୍କୁ ଭେଟିଥିଲେ। ଅମିତ ଶାହ ମୋଦୀଙ୍କୁ ‘ପାଗଳ’ ବୋଲି କୁଆଡ଼େ କହିଥିଲେ।

ସତ୍ୟପାଲଙ୍କ ଏହି ଭିଡିଓ କ୍ଲିପକୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସାମ୍ବିଧାନିକ ପଦପଦବିରେ ଥିବା ବ୍ୟକ୍ତିମାନେ ଏପରି ଅପମାନସୂଚକ କଥା କହିବା ଘୋର ନିନ୍ଦନୀୟ। ତେବେ ମଲ୍ଲିକ ଯାହା କହିଲେ ତାହା କ’ଣ ସତ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।

ତେବେ ଏହି ଭିଡିଓ କ୍ଲିପ୍ ଜାରି ହେବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟପାଳ ମଲ୍ଲିକ। ସେ ଆଜି ସନ୍ଧ୍ୟାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଅମିତ ଶାହ କୌଣସି ଅପମାନସୂଚକ ମନ୍ତବ୍ୟ ଦେଇ ନାହାନ୍ତି। ମୋଦୀ ମୋ କଥା ନଶୁଣି ଅମିତ ଶାହଙ୍କ ପାଖକୁ ପଠାଇଥିଲେ। ଅମିତ ଶାହ କହିଥିଲେ ଯେ କିଛି ଲୋକ ମୋଦୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଦିନ ଆସିବ ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିବେ। କିନ୍ତୁ କୌଣସି ସମୟରେ ଶାହ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇନଥିଲେ।

ମଲ୍ଲିକଙ୍କ ଏପରି ବିବୃତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟା‌ର୍ଗେଟ କରିଥିବା ବେଳେ ବିଜେପି ନିରବ ରହିବାକୁ ଶ୍ରେୟସ୍କର ମଣିଛି। ସୂଚନାଯୋଗ୍ୟ ଯେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ହେଉଛନ୍ତି ପଶ୍ଚିମ ଉତ୍ତରପ୍ରଦେଶର ବାସିନ୍ଦା। ‌ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେ ବିଜେପି ସରକାରକୁ ଖୋଲାଖୋଲି ସମାଲୋଚନା କରି ଆସୁଛନ୍ତି।

ସମ୍ବନ୍ଧିତ ଖବର