ପରିବା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ମେଘାଳୟର ଜଣେ ଆଇଏସ୍‌ ଅଫିସର

ଶିଲଂ : ମେଘାଳୟର ଜଣେ ଆଇଏସ୍‌ ଅଫିସର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବଚ୍ଛ, ସବୁଜ ଓ ସୁସ୍ଥ ଜୀବନ ସହିତ ଜୈବିକ ପରିବା କିଣିବା ପାଇଁ ୧୦ କିଲୋମିଟର ବାଟ ଚାଲିଚାଲି ଯାଉଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ଏହି ଆଇଏଏସ୍‌ ଅଫିସର୍‌ ‌ହେଲେ ରାମ ସିଂହ। ସେ ପଶ୍ଚିମ ଗାରୋ ହିଲ୍‌ସର ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ରାମ ସିଂହ ପ୍ରତି ଶନିବାର ଦିନ ଏକ ‘କୋକ୍‌ଚେଙ୍ଗ୍‌’ (ବାଉଁଶ ନିର୍ମିତ ପାରମ୍ପରିକ ଝୁଡ଼ି)କୁ କାନ୍ଧରେ ବୋହି ଦଶ କିଲୋମିଟର ଦୂର ଟୁରା ହାଟକୁ ଯାଆନ୍ତି। ଅର୍ଗାନିକ୍‌ ପନିପରିବା କିଣିବା ପାଇଁ ଖାସ୍‌ କରି ଚାଲିଚାଲି ସେ ହାଟରେ ପହଞ୍ଚନ୍ତି। ୨୧ କିଲୋ ପର୍ଯ୍ୟନ୍ତ ଅର୍ଗାନିକ୍‌ ପରିବା ଟୁରା ହାଟରୁ କିଣି ନିଜ କାନ୍ଧରେ ବୋହି ଘରକୁ ଫେରନ୍ତି। ଏ ସମ୍ପର୍କରେ ରାମ ସିଂହ କୁହନ୍ତି; ‘ ନୋ ପ୍ଲାଷ୍ଟିକ୍‌, ନୋ ପଲ୍ୟୁସନ୍‌, ନୋ ଟ୍ରାଫିକ୍‌ ଜାମ୍‌, ଫିଟ୍‌ ମେଘାଳୟ, ଇଟ୍‌ ଅର୍ଗାନିକ୍‌, କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ ଟୁରା।’

ବାଉଁଶ ଝୁଡ଼ିରେ ପରିବା କାନ୍ଧରେ ବୋହି ଆଣୁଥିବାର ଏକ ଫଟୋ ସେ ଫେସ୍‌ବୁକ୍‌ରେ ସେୟାର୍‌ କରିବା ପରେ ତାଙ୍କର ଏ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଆଡୁ ପ୍ରଶଂସା ମିଳିଛି। ରାମ ସିଂହଙ୍କ ଫେସ୍‌ବୁକ୍‌ ପୋଷ୍ଟିଂର ଉତ୍ତରରେ ଅନ୍ୟ ଜ‌ଣେ ଅମଲା ରବର୍ଟ ଜି. ଲିଙ୍ଗ୍‌ଡ଼ୋ ଲେଖିଛନ୍ତି, ‘ ଏହା ହେଉଛି ବର୍ତ୍ତମାନର ଭାରତୀୟ ପ୍ରଶାସନର ନୂଆ ଛବି। ମୁଁ ରାମ ସିଂହଙ୍କ ଏ କାର୍ଯ୍ୟ ଦ୍ବାରା ଖୁବ୍‌ ପ୍ରଭାବିତ। ରାମ ସିଂହଙ୍କ ସରଳ ଜୀବନ ଓ ପରିବେଶ ଚିନ୍ତା ଅନେକଙ୍କୁ ପ୍ରଭାବିତ କରିଛି। ’

ସୂଚନା ଅନୁସାରେ, ଟୁରା ହାଟରେ ସବୁବେଳେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଲାଗି ରହିଥାଏ। ଏ ସମସ୍ୟାକୁ ଲକ୍ଷ୍ୟରେ ରଖି ରାମ ସିଂହ ପ୍ରଥମେ ପାଦରେ ଚାଲିଚାଲି ହାଟକୁ ଯିବାକୁ ନିଷ୍ପତ୍ତି ‌ନେଇଥିଲେ। ଏହାଦ୍ବାରା ‌କେବଳ ପରିବାର କିଣିବା ନୁହେଁ, ପ୍ରାତଃଭ୍ରମଣ ବି ହୋଇଯାଏ। ଗତ ଛଅ ମାସ ହେଲା ରାମ ସିଂହ ଏବଂ ତାଙ୍କ ପତ୍ନୀ ଏଭଳି କରି ଆସୁଛନ୍ତି।

ସବୁଠୁ ବଡ଼ କଥା ହେଉଛି, ତାଙ୍କର ଏ ପ୍ରୟାସ ଫଳରେ ପରିବେଶ ପ୍ରଦୂଷଣ ପାଇଁ ରାମ ସିଂହ ଏକ ସଚେତନତା ସୃଷ୍ଟି କରିପାରିଛନ୍ତି। ସେ ନିଜେ ମଧ୍ୟ ଏକ ପ୍ଲାଷ୍ଟିକମୁକ୍ତ ସ୍ବଚ୍ଛ ମେଘାଳୟର ସ୍ବପ୍ନ ଦେଖିଥିବା କୁହନ୍ତି। ସମସ୍ତ ଯୁବକ ଏଭଳି କରିବାକୁ ମଧ୍ୟ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର