ସିଲଂ : ମେଘାଳୟର ପୂର୍ବ ଜୟେନ୍ତିୟା ଜିଲ୍ଲାରେ ଥିବା ବେଆଇନ୍ କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଫସିଥିବା ୧୫ ଜଣ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ। ମଙ୍ଗଳବାର ନୌସେନାର ବୁଡାଳିମାନେ ପୁଣି ଥରେ ଖଣି ଭିତରକୁ ଯାଇଥିଲେ ହେଁ ବନ୍ୟାଜଳରେ ଫସି ରହିଥିବା ଶ୍ରମିକଙ୍କୁ ଠାବ କରିପାରି ନାହାନ୍ତି।
ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ସେଠାକୁ ଯାଇଥିବା ଓଡ଼ିଶା ଅଗ୍ନିଶମ ବିଭାଗର ଏକ ଉଦ୍ଧାରକାରୀ ଦଳ ଉଚ୍ଚକ୍ଷମତା ସଂପନ୍ନ ପମ୍ପ ଲଗାଇ ଜଳ ନିଷ୍କାସନ ଲାଗି ଉଦ୍ୟମ ଜାରି ରଖିଛି। ଏନ୍ଡିଆର୍ଏଫ୍ ସହ ମିଶି ଓଡ଼ିଶା ଅଗ୍ନିଶମ ଉଦ୍ଧାରକାରୀ ଖଣି ଭିତରକୁ ପମ୍ପ ଭର୍ତ୍ତି କରି ମୁଖ୍ୟ ଖଣିରୁ ଜଳ ନିଷ୍କାସନ କରିବା ଚେଷ୍ଟା କରୁଛନ୍ତି। ମାତ୍ର ଜଳ ନିଷ୍କାସନ ଏ ଯାଏଁ ସମ୍ଭବ ହୋଇ ପାରି ନାହିଁ।
ଏଯାବତ୍ ଏନ୍ଡିଆର୍ଏଫ୍ ଓ ଓଡ଼ିଶା ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ପମ୍ପ ଲଗାଇ ଖଣିର ମୁଖ୍ୟ ଗହ୍ଵରର ପୂର୍ବବର୍ତ୍ତୀ ଅଞ୍ଚଳରୁ ଜଳ ନିଷ୍କାସନ କରିପାରିଛନ୍ତି ବୋଲି ମେଘାଳୟ ସରକାରଙ୍କ ମୁଖପାତ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ କି, ୨୦୧୮ ଡିସେମ୍ବର ୧୩ ତାରିଖରେ ହଠାତ୍ ନଦୀ ଜଳ ଏଇ ବେଆଇନ୍ ଖଣି ମଧ୍ୟକୁ ପଶି ଆସିବାରୁ କାମ କରୁଥିବା ୨୨ ଜଣ ଶ୍ରମିକଙ୍କ ମଧ୍ୟରୁ ୭ ଜଣ ଜୀବନକୁ ବାଜି ଲଗାଇ ବାହାରି ଆସିଥିବା ବେଳେ ୧୫ ଜଣ ଫସି ଯାଇଥିଲେ।