ଇନ୍ଦୋର: ହନିମୁନ୍ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିବା ଦମ୍ପତିଙ୍କ ନିଖୋଜକୁ ନେଇ ବଡ଼ ଖୁଲାସା । ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରିଛି ସ୍ତ୍ରୀ । ହନିମୁନ୍ରେ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ୨୩ ମେ 'ରେ ନିଖୋଜ ହେବା ପରେ ଜୁନ୍ ୪ ତାରିଖରେ ମିଳିଥିଲା ରାଜାଙ୍କ ଗଳିତ ମୃତଦେହ। ହେଲେ ସୋନମ୍ଙ୍କ କୌଣସି ପତ୍ତା ମିଳିନଥିଲା।
ହେଲେ ଏବେ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ସୋନମଙ୍କ ବାପା। ତାଙ୍କ ଝିଅ ବିରୋଧରେ ଲାଗିଥିବା ହତ୍ୟା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ମେଘାଳୟ ପୁଲିସ୍ ମାମଲାକୁ ନେଇ ମିଥ୍ୟା କହୁଛି ଏବଂ ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ସୋନମଙ୍କ ଗିରଫଦାରୀର କିଛି ଘଣ୍ଟା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଦେବୀ ସିଂହ କହିଛନ୍ତି, "ମୋ ଝିଅ ନିର୍ଦୋଷ। ମୁଁ ତା’ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରେ। ସେ ଏପରି କରିପାରିବ ନାହିଁ। ସେମାନେ ଉଭୟ ପରିବାରର ସମ୍ମତିରେ ବିବାହ କରିଛନ୍ତି। ମେଘାଳୟ ସରକାର ଆରମ୍ଭରୁ ମିଛ କହୁଛି"।
ସିଂହ ଆହୁରି ଦାବି କରିଛନ୍ତି ଯେ ସୋନମ ରବିବାର ରାତିରେ ନିଜେ ଉତ୍ତର ପ୍ରଦେଶର ଗାଜିପୁରର ଏକ ରାସ୍ତାପାର୍ଶ୍ୱ ଭୋଜନାଳୟ (ଢାବା)ରେ ପହଞ୍ଚିଥିଲା ଏବଂ ତାଙ୍କ ଭାଇଙ୍କୁ ଡାକିଥିଲା। ଯାହା ପରେ ପୁଲିସ ପହଞ୍ଚି ତାକୁ ନେଇଯାଇଥିଲା। ତାକୁ ମେଘାଳୟରେ ଗିରଫ କରାଯାଇ ନଥିଲା। ସେ ନିଜେ ଗାଜିପୁର ଆସିଥିଲା। ମୁଁ ଏପର୍ଯ୍ୟନ୍ତ ତା’ ସହିତ କଥା ହୋଇ ପାରିନାହିଁ। ମୋ ଝିଅ କାହିଁକି ତା’ ସ୍ୱାମୀଙ୍କୁ ହତ୍ୟା କରିବ? ମେଘାଳୟ ପୁଲିସ କାହାଣୀ ତିଆରି କରୁଛି," ସେ କହିଛନ୍ତି।