ଚିଠି ପହଞ୍ଚାଇବା ପାଇଁ ପାହାଡିଆ ରାସ୍ତାରେ ୩୨ କିଲୋମିଟର ଚାଲୁଥିବା ଏହି ପୋଷ୍ଟମ୍ୟାନଙ୍କୁ ମିଳିଲା ମେଘଦୂତ ପୁରସ୍କାର

ମେଘଦୂତ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ

ଡେରାଡୁନ: ନିଜ ମନର କଥା ହେଉ କି ସମ୍ପର୍କୀୟଙ୍କୁ ମନିଅର୍ଡର ପଠାଇବା ପାଇଁ ଏବେ ବି ଚିଠିର ବ୍ୟବହାର ଚାଲିଛି | ଆଜିକାଲି ମୋବାଇଲ ଯୁଗରେ ଯେଉଁଠି ମୋବାଇଲ ନେଟୱାର୍କଟିଏ ମଧ୍ୟ ନାହିଁ, ଚିଠି ହିଁ ବାର୍ତ୍ତା ପ୍ରେରଣର ମାଧ୍ୟମ ପାଲଟିଛି | ଆଉ ପ୍ରତିଦିନ ସକାଳେ ଚିଠି, ମନିଅର୍ଡର ସହ ପାର୍ସଲ ନିଜ ବ୍ୟାଗରେ ପୁରାଇ ବାଣ୍ଟିବାକୁ ବାହାରିଯାଆନ୍ତି ଏହି ପୋଷ୍ଟମ୍ୟାନ | ପାହାଡ ଉପରେ ଥିବା ଗାଁଗୁଡିକୁ ଏଯାଏଁ ରାସ୍ତା ନଥିବାରୁ ଚାଲି ଚାଲି ଯାଇଥାନ୍ତି ଏହି ପୋଷ୍ଟମ୍ୟାନ | ନା ବର୍ଷା ନା ଖରା ପ୍ରତିଦିନ ପ୍ରାୟ ୩୨କିଲୋମିଟର ଚାଲି ଚାଲି ଅପହଞ୍ଚ ଅଂଚଳର ଲୋକଙ୍କ ପାଖରେ ପହଞ୍ଚିଯାଆନ୍ତି ହିମାଚଳପ୍ରଦେଶ ଲାହଲର ପୋଷ୍ଟମ୍ୟାନ ପ୍ରେମଲାଲ | ଆଉ ଏଭଳି ମହନୀୟ କାର୍ଯ୍ୟ ପାଇଁ ପୋଷ୍ଟ ବିଭାଗର ସମ୍ମାନଜନକ ପୁରସ୍କାର ମେଘଦୂତ ସମ୍ମାନରେ ଆଜି ତାଙ୍କୁ ସମ୍ମାନିତ କରାଯାଇଛି |

ସୂଚନା ମୁତାବକ ଲାହଲ ପୋଷ୍ଟ ଅଫିସ ଅଧୀନରେ ପ୍ରାୟ ୩୨ କିଲୋମିଟର ଦୂରତା ଅଂଚଳ ମଧ୍ୟ ଆସିଥାଏ | ଆଉ ପୋଷ୍ଟମ୍ୟାନ୍ ପ୍ରେମଲାଲଙ୍କ ଯେଉଁଠାକୁ ଚିଠି ବାଣ୍ଟିବାକୁ ଯାଇଥାନ୍ତି, ସେଠାରେ ବର୍ଷର ଅଧିକାଂଶ ସମୟ ବରଫରେ ଆବୃତ ହୋଇଥାଏ | ବେଳେବେଳେ ଏହି ଅଞ୍ଚଳରେ ମାଟି ଅତଡ଼ା ସହ ପଥର ମଧ୍ୟ ଖସିପଡିଥାଏ |

ଏହି ବିପଦପୂର୍ଣ୍ଣ ପଥରେ ପ୍ରେମଲାଲ ପ୍ରତ୍ୟେକ ଦିନ ନିରବଚ୍ଛିନ୍ନ ଭାବରେ ତାଙ୍କର ଯାତ୍ରା କରନ୍ତି | ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୯୦୦୦ ଫୁଟରୁ ଅଧିକ ଉଚ୍ଚରେ ଥିବାବେଳେ ରାସ୍ତା ନଥିବାରୁ ପ୍ରତିଦିନ ୩୨ କିଲୋମିଟର ଚାଲିଚାଲି ସେ ଯାଇଥାନ୍ତି | ସୂଚନା ଥାଉ କି ଯେ ୧୯୮୪ ମସିହାରୁ ମେଘଦୂତ ପୁରସ୍କାର ଦିଆଯାଇଆସୁଛି | ପ୍ରେମଲାଲଙ୍କ ବ୍ୟତୀତ ଏହି ଅବସରରେ ମେଘଦୂତ ପୁରସ୍କାର ପାଇଥିବା କର୍ମଚାରୀଙ୍କ ମଧ୍ୟରେ ଓଡିଶା କଟକର ବାଙ୍କୀ ତୁଳସୀପୁର ଡାକଘରର ପୋଷ୍ଟମାଷ୍ଟର ଅଶୋକ କୁମାର ସାହୁ ଅଛନ୍ତି |
,

ସମ୍ବନ୍ଧିତ ଖବର